ମାର୍ଚ୍ଚ ୧୫ରୁ ହୁଇଲ ଚେୟାରରେ ମମତା କରିବେ ପ୍ରଚାର । ସେପଟେ କୋଲକାତାରେ ଆନ୍ଦୋଳନକାରୀ ଚାଷୀଙ୍କ ହୁଙ୍କାର । ବିଜେପି ବିରୋଧରେ ଗର୍ଜିଲେ ରାକେଶ ଟିକାୟତ ।

76

କନକ ବ୍ୟୁରୋ: ଡାକ୍ତରଖାନାରୁ ମମତା ଦିଦି ବାହାରିବା ପରେ ପୁଣି ସରଗରମ ହୋଇଛି ପଶ୍ଚିମବଙ୍ଗର ରାଜନୀତି । ଗତକାଲି ହୁଇଲ ଚେୟାରରେ ଡାକ୍ତରଖାନାରୁ ବାହାରିଥିବା ଦିଦି ଆସନ୍ତା ୧୫ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ । ଏନେଇ ଦଳ ପକ୍ଷରୁ ତିଆରି ହେଲାଣି ରୋଡମ୍ୟାପ୍ । ଏହାରି ଭିତରେ ପଶ୍ଚିମବଙ୍ଗ ରାଜନୀତିରେ ପ୍ରବେଶ କରିଛି ଚାଷୀ ଆନ୍ଦୋଳନ । ଦିଲ୍ଲୀରେ ଡେରା ପକାଇଥିବା ଚାଷୀ, କୋଲକାତାରେ ପହଁଚି, କେନ୍ଦ୍ର ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ତେବେ ହସ୍ପିଟାଲରୁ ଦିଦି ଫେରିବା ସହିତ ଟିଏମସି କ୍ୟାମ୍ପକୁ ବଳ ମିଳିଛି । ଦଳ ତିଆରି କରିଛି ଆଗାମୀ ରଣନୀତି…

– ୧୪ ମାର୍ଚ୍ଚରେ ଟିଏମସି ଜାରି କରିବ ନିର୍ବାଚନୀ ଇସ୍ତାହାର
– ୧୫ ମାର୍ଚ୍ଚରେ ହୁଇଲ ଚେୟାରରେ ମମତା ଓହ୍ଲାଇବେ ପ୍ରଚାରକୁ
– ୧୫ ମାର୍ଚ୍ଚରେ ପୁରୁଲିଆରେ ମମତାଙ୍କ ଜନସଭା
– ୧୬ ମାର୍ଚ୍ଚରେ ବାଙ୍କୁରାରେ ରାଲି କରିବେ ମମତା
– ୧୭ ମାର୍ଚ୍ଚରେ ଝାରଗ୍ରାମରେ ମମତାଙ୍କ ରାଲି

ଅନ୍ୟପଟେ ପଶ୍ଚିମବଙ୍ଗ ରାଜନୀତିରେ ଆଜି ଦେଖିବାକୁ ମିଳିଛି ଏହି ରୋଚକ ଚିତ୍ର । ମୋଦୀ ବିରୋଧୀ ଭାବେ ଜଣାଶୁଣା କେନ୍ଦ୍ରୀୟ ଚେହେରା ,ପୂର୍ବତନ ବିଜେପି ନେତା ଯଶୱନ୍ତ ସିହ୍ନା ତୃଣମୂଳ କଂଗ୍ରେସରେ ମିଶିଛନ୍ତି । କୋଲକାତାରେ ଦଳୀୟ କାର୍ଯ୍ୟାଳୟରେ ଟିଏମସି ପତାକା ଧରିଛନ୍ତି ଯଶୱନ୍ତ ସିହ୍ନ । ସେପଟେ ଦିଲ୍ଲୀର ଚାଷୀ ଆନ୍ଦୋଳନ ଆସି ପହଁଚିଗଲାଣି ପଶ୍ଚିମବଙ୍ଗରେ । ଆଜି କୋଲକାତାରେ ପହଁଚିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସଂଯୁକ୍ତ କିଷାନ ମୋର୍ଚ୍ଚା କୋଲକାତାରେ କରିଛି ମହାପଂଚାୟତ । ପଶ୍ଚିମବଙ୍ଗରେ ଅଛନ୍ତି ପ୍ରାୟ ୭୩ ଲକ୍ଷ ଚାଷୀ ପରିବାର । ଏହି ସମସ୍ତ ଚାଷୀ ପରିବାରକୁ ବିଜେପି ବିରୋଧରେ ଭୋଟ୍ ଦେବାକୁ ଅପିଲ୍ କରିବାକୁ କଲିକତାରେ ପହଁଚିଛନ୍ତି ରାକେଶ ଟିକାୟତ ।