ସରଗରମ ପଶ୍ଚିମବଙ୍ଗ ରାଜନୀତି । ନନ୍ଦୀଗ୍ରାମରେ ହେବ ମମତା ବନାମ ଶୁଭେନ୍ଦୁ ଲଢ଼େଇ ! ଗାଦି ଦଖଲ ପାଇଁ ଚାଲିଛି ରଣନୀତି ।

125

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଏବେ ନନ୍ଦୀଗ୍ରାମ ଉପରେ ନଜର । ନନ୍ଦୀଗ୍ରାମରେ ହେବ ମମତା ବନାମ ଶୁଭେନ୍ଦୁ ଲଢ଼େଇ ! ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଉଷ୍ମ ହୋଇଚାଲିଥିବା ବେଳେ ଏବେ ସବଠୁ ଚର୍ଚ୍ଚିତ ଆସନ ପାଲଟିଛି ନନ୍ଦୀଗ୍ରାମ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସୋମବାର ଘୋଷଣା ପରେ ଚର୍ଚ୍ଚା ଏବେ ଜୋର ଧରିଛି । ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ଲଢ଼ିବେ ବୋଲି ମମତା ଘୋଷଣା କରିଛନ୍ତି । ନନ୍ଦୀଗ୍ରାମରେ ବିଶାଳ ରାଲି ବେଳେ ଏହି ଘୋଷଣା କରିଛନ୍ତି ମମତା । ୨୦୧୬ରେ ଏହି ଆସନରୁ ଲଢ଼ି ବିଜୟୀ ହୋଇଥିଲେ ଶୁଭେନ୍ଦୁ ଅଧିକାରୀ । ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ମମତା ବନାମ ଶୁଭେନ୍ଦୁ ଲଢ଼େଇ ହେବାର ଖୁବ୍ ସମ୍ଭାବନା ରହିଛି ।

ନିକଟରେ ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ରାଜନୀତିର ଜଣେ ହେଭିୱେଟ ନେତା । ପୂର୍ବମେଦିନାପୁର ଜିଲ୍ଲାରେ ଶୁଭେନ୍ଦୁ ଅଧିକାରୀ ହେଉଛନ୍ତି ଜଣେ ଏପରି ପ୍ରଭାବଶାଳୀ ନେତା, ଯାହାଙ୍କର ତୃଣମୂଳସ୍ତରରେ ସଂଗଠନ ବେଶ ମଜବୁତ ରହିଛି । ୨୦୧୧ ବିଧାନସଭା ନିର୍ବାଚନ ବେଳେ ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀ ଉଭୟ ନନ୍ଦିଗ୍ରାମରେ କ୍ୟାମ୍ପେନ କରିଥିଲେ । ଏହି ଦୁଇ ପୂର୍ବତନ ସହଯୋଗୀ ଏବେ ତୀବ୍ର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ । ତେଣୁ ନନ୍ଦୀଗ୍ରାମ ଲଢ଼େଇ ଉପରେ ନଜର ଅଟକିବା ସ୍ୱାଭାବିକ ।

ଏବେ ଭବାନୀପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି ମମତା ବାନାର୍ଜୀ । ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମ ଓ ଭବାନୀପୁର ଦୁଇଟି ଜାଗାରୁ ଳଢ଼ିପାରନ୍ତି ମମତା । ଆସନ୍ତା ଏପ୍ରିଲରୁ ମେ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିରେ ତୃଣମୂଳ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି । ୨୦୧୯ ନିର୍ବାଚନରେ ବେଶ୍ ଭଲ ପ୍ରଦର୍ଶନ ପରେ ବିଜେପି ଏବେ ପଶ୍ଚିମବଙ୍ଗରେ ଗାଦି ଦଖଲ ପାଇଁ ଦିନରାତି ଲାଗିପଡ଼ିଛି । ସେପଟେ ନିଜ ଗଡ଼ ବଜାୟ ରଖିବାକୁ ଭରପୁର ପୟାସ କରୁଛନ୍ତି ମମତା ।