ପଶ୍ଚିମବଙ୍ଗ ନିର୍ବାଚନରେ ରାମ ବନାମ ଶିବ । ଶିବରାତ୍ରି ଦିନ ନନ୍ଦୀଗ୍ରାମରୁ ପ୍ରାର୍ଥୀପତ୍ର ଦାଖଲ କରିବେ ମମତା ବାନାର୍ଜୀ

415

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ରାଜ୍ୟରେ ହିନ୍ଦୁତ୍ୱକୁ ନେଇ ଲଢେଇ ଜୋରଦାର ହୋଇଛି । ବିଜେପିର ‘ଜୟ ଶ୍ରୀରାମ’ ନାରାକୁ ନେଇ ମମତା ବାନାର୍ଜୀ ଅସନ୍ତୁଷ୍ଟ ଥିବା ବେଳେ ସଫ୍ଟ ହିନ୍ଦୁତ୍ୱ ରାଜନୀତି ଆପଣାଇଛନ୍ତି ମମତା । କୁହାଯାଉଛି କି ଏହି କାରଣରୁ ମମତା ବାନାର୍ଜୀ ଶିବରାତ୍ରି ଦିନ ନାମାଙ୍କନ ଦାଖଲ କରିବେ ।

ଜୟ ଶ୍ରୀରାମ ହେଉ କି ଜୟ ସିୟାରାମ ନାରା ଏସବୁକୁ ନେଇ ତୃଣମୂଳ କଂଗ୍ରେସ ବିଜେପି ଉପରେ ସବୁବେଳେ ଅଭିଯୋଗ କରିଆସିଛି । ଏହାକୁ ନେଇ ତୃଣମୂଳ କଂଗ୍ରେସକୁ ବିଜେପି ରାମଦ୍ରୋହୀ କହିଆସୁଥିବା ବେଳେ ଏହାକୁ ନିର୍ବାଚନୀ ମୁଦ୍ଦା କରିବାକୁ ଚେଷ୍ଟା କରିଛନ୍ତି ଦିଦି ।
ମାର୍ଚ୍ଚ ୧୧ ତାରିଖ ଶିବରାତ୍ରି ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରୁ ନାମାଙ୍କନ ଦାଖଲ କରି ନିର୍ବାଚନ ବିଗୁଲ ଫୁଙ୍କିବେ । ଏନେଇ ଜୋରସୋରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ନନ୍ଦୀଗ୍ରାମ କ୍ଷେତ୍ରରେ ଦଳ ତା’ର ଅସ୍ଥାୟୀ ପାର୍ଟି ଅଫିସ ସହ ନିର୍ବାଚନ ପରିଚାଳନା ପାଇଁ ଏକ ନିର୍ବାଚନ କାର୍ଯ୍ୟାଳୟ ଖୋଲିଛି । ମାର୍ଚ୍ଚ ୧୦ ତାରିଖରେ ମମତା ବାନାର୍ଜୀ ମେଦିନାପୁରର ହଲଦିଆ ଠାରେ ପହଂଚିବେ  । ରାତିରେ ଦଳୀୟ କର୍ମୀଙ୍କ ସହ ବୈଠକ କରିବା ସହ ସକାଳେ ନନ୍ଦୀଗ୍ରାମ ଯିବେ ବୋଲି ଜଣାପଡିଛି ।

ଏହି ଖବର ପ୍ରସାରିତ ହେବା ପରେ ତୃଣମୂଳ ଛାଡି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀ କହିଛନ୍ତି କି ପାର୍ଟି ମୋତେ ନନ୍ଦୀଗ୍ରାମରୁ ଟିକେଟ୍ ଦେଉ କି ନ ଦେଉ ହେଲେ ନନ୍ଦୀଗ୍ରାମରେ ମମତାଙ୍କୁ ହରାଇବା ଦାୟିତ୍ୱ ମୋର । ଅନ୍ୟପଟେ ବାମମେଣ୍ଟ ନନ୍ଦିଗ୍ରାମ ଆସନକୁ ଆଇଏସଏଫକୁ ଦେଇଛି । କୁହାଯାଉଛି କି ଏଥର ନିର୍ବାଚନରେ ନନ୍ଦିଗ୍ରାମ ଆସନ ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।