ଇଣ୍ଡିଆ ମେଣ୍ଟକୁ ମମତାଙ୍କ କଟାକ୍ଷ । କହିଲେ , ଲୋକସଭା ନିର୍ବାଚନରେ କଂଗ୍ରେସ ୪୦ ଆସନ ଜିତିବା ନେଇ ଆଶଙ୍କା ।

122

କନକ ବ୍ୟୁରୋ: ସହଯୋଗିତାରେ ମେଣ୍ଟ ହୁଏ ସେଥିରେ ସହଯୋଗୀ ଦଳ ଗୁଡିକର ସମର୍ଥନ ଥାଏ । କାରଣ ମେଣ୍ଟ ସବୁବେଳେ ସହଯୋଗୀଙ୍କ ସମର୍ଥନରେ ଚାଲେ । କିନ୍ତୁ ଇଣ୍ଡିଆ ମେଂଟରେ ଥାଇ ମେଣ୍ଟ ସହଯୋଗୀଙ୍କୁ କଟାକ୍ଷ କରିବା ଭଳି ଘଟଣା ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କଂଗ୍ରେସ ଦଳକୁ ନେଇ ଏକ ତାଚ୍ଛଲ୍ୟ କରିବା ଭଳି ଏକ ବୟାନ ରଖିଛନ୍ତି । କଂଗ୍ରେସ ଦଳକୁ ସମାଲୋଚନା କଲା ଶୈଳୀରେ କହିଛନ୍ତି, ଲୋକସଭା ନିର୍ବାଚନରେ ୪୦ ଆସନ ଜିତିପାରିବ ନା ନାହିଁ ସନ୍ଦେହ । ପଶ୍ଚିମବଙ୍ଗର ମୂର୍ଶିଦାବାଦରେ ଆୟୋଜିତ ସଭାରେ ମମତା ବାନାର୍ଜୀ କହିଛନ୍ତି, ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ୩ ଶହ ଆସନରୁ ୪୦ଟି ଆସନ ଜିତିବା ନା ନାହିଁ ତାଙ୍କୁ ଜଣା ନାହିଁ । ତଥାପି କାହିଁକି ଏତେ ଗର୍ବ ଅହଙ୍କାର । ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ୟରେ ରଖି କହିଛନ୍ତି, ପଶ୍ଚିମବଙ୍ଗରେ ଭାରତ ଯୋଡ ନ୍ୟାୟ ଯାତ୍ରା ହେଲା ।

କିନ୍ତୁ ଇଣ୍ଡିଆ ମେଣ୍ଟରେ ଥାଇ ସେ ଜାଣିପାରିନଥିଲେ ବୋଲି କହିଛନ୍ତି । ପ୍ରଶାସନ କହିବା ପରେ ରାହୁଲଙ୍କ ଏହି ନ୍ୟାୟ ଯାତ୍ରା ବାବଦରେ ଜାଣିଥିଲେ ବୋଲି ମମତା କହିଛନ୍ତି । ଉତ୍ତର ପ୍ରଦେଶରେ କଂଗ୍ରେସର ଗୋଟିଏ ଆସନ ନାହିଁ, ରାଜସ୍ଥାନରେ ନିର୍ବାଚନ ଜିତିପାରିଲାନି, ମୁଁ କେମିତି ଜାଣିବି ଆପଣଙ୍କ ସାହାସ କେତେ । ଦମ୍ଭ ଅଛି ଯଦି ବାରଣାସୀ ଯାଇ ନିର୍ବାଚନ ଜିତିକି ଦେଖାନ୍ତୁ ବୋଲି ଖୋଲା ଆହ୍ୱାନ ଦେଇଛନ୍ତି । କଂଗ୍ରେସ ଓ ଟିଏମସି ମଧ୍ୟରେ ଏହି ଆକ୍ଷେପ ପ୍ରତିଆକ୍ଷେପ ସେବେଠୁ ଜୋର ଧରିଛି ଯେବେଠୁ ଆସନ ଭାଗବଣ୍ଟା ନେଇ ଅଙ୍କ ଅଛିଣ୍ଡା ହୋଇଛି ।