ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା । ଲଗାତାର ତୃତୀୟ ଥର ପାଇଁ ଧରିଲେ ପଶ୍ଚିମବଙ୍ଗର ମଙ୍ଗ ।

172

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା । ରାଜଭବନରେ ଶପଥଗ୍ରହଣ ସହ ପଶ୍ଚିମବଙ୍ଗରେ ଲଗାତାର ତୃତୀୟ ଥର ପାଇଁ କ୍ଷମତା ସିଂହାସନରେ ବସିଛନ୍ତି ଦିଦି । ରାଜଭବନର ଟାଉନ ହଲରେ ରାଜ୍ୟପାଳ ଜଗଦୀପ ଧନଖଡ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଉ ଏହାସହ ପୁଣିଥରେ ବଙ୍ଗରେ ସରକାର ଗଢିଛି ଟିଏମସି ।

କରୋନାକୁ ଦୃଷ୍ଟିରେ ରଖି ଅଳ୍ପ କିଛି ଲୋକଙ୍କୁ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି । ଶପଥ ସମାରୋହରେ ସାମିଲ ହେବେ ଟିଏମସି ରଣନୀତିକାର ପ୍ରଶାନ୍ତ କିଶୋର ଓ ଟିଏମସି ନେତା ତଥା ପୁତୁରା ଅଭିଷେକ ବାନାର୍ଜୀ । ସେହିପରି କ୍ରିକେଟର ସୌରଭ ଗାଙ୍ଗୁଲି, ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ବାମ ମୋର୍ଚ୍ଚାର ବିମାନ ବୋଷ, ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କୁ ଶପଥ ପାଠ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି । ଯେତେ କମ ସଂଖ୍ୟକ ଅତିଥିଙ୍କୁ ନେଇ ଶପଥ ଗ୍ରହଣ ଉତ୍ସବ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।

ଚଳିତ ବିଧାନସଭା ନିର୍ବାଚନରେ ୨୯୨ରୁ ୨୧୩ ଆସନ ଅକ୍ତିଆର କରିବା ସହ ପୁଣିଥରେ କ୍ଷମତାକୁ ଫେରିଛି ଟିଏମସି । ଫଳାଫଳ ଆସିବା ପୂର୍ବରୁ ବିଜେପି ଓ ଟିଏମସି ମଧ୍ୟରେ କଡା ମୁକାବିଲା ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ମମତା । ଏପରିକି ବିଭିନ୍ନ ଗଣମାଧ୍ୟମ ଦେଖାଇଥିବା ଏଗଜିଟ୍ ପୋଲର ସଂଖ୍ୟା ଠାରୁ ଢେର ଅଧିକ ଆସନ ହାତେଇଛି ମମତାଙ୍କ ଦଳ । ଏହାସହ ବଙ୍ଗରେ କାମ କରିନାହିଁ ମୋଦି ମ୍ୟାଜିକ୍ । ମମତାଙ୍କ ଲୋକପ୍ରିୟତା ଆଗରେ ଫେଲ ମାରିଛି ଶାହାଙ୍କ ଷ୍ଟ୍ରାଟେଜି ।

ତୃଣମୂଳ କଂଗ୍ରେସ ୨୦୧୬ ତୁଳନାରେ ୨୦୨୧ରେ ଭଲ ପ୍ରଦର୍ଶନ କରି ମ୍ୟାଜିକ ନମ୍ବର ଠାରୁ ଅଧିକ ଆସନ ଅକ୍ତିଆର କରିଛି ।ସବୁ ଆକଳନକୁ ଭୁଲ ପ୍ରମାଣିତ କରି ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମମତା । ହଁ ନିଜେ ନନ୍ଦୀଗ୍ରାମ ଆସନରୁ ହାରିଯାଇଛନ୍ତି ସତ କିନ୍ତୁ ଦଳକୁ ଦେଇଛନ୍ତି ବଡ ବିଜୟ । ବିଧାୟକ ନହୋଇ ମମତା ମୁଖ୍ୟମନ୍ତ୍ରୀ ହେଉଥିବାରୁ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଆସନ୍ତା ୬ ମାସରେ ମମତାଙ୍କୁ ବିଧାୟିକା ଭାବେ ନିର୍ବାଚନ ଜିତିବାକୁ ହେବ ।