ନନ୍ଦିଗ୍ରାମରେ ହେବାକୁ ଯାଉଛି ୨୦୨୧ ମସିହାର ସବୁଠୁ ବଡ ନିର୍ବାଚନ । ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ ।

156

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ହେବାକୁ ଯାଉଛି ୨୦୨୧ ମସିହାର ସବୁଠାରୁ ବଡ ନିର୍ବାଚନ । ଆଗରୁ ହୁଏତ ପଶ୍ଚିମବଙ୍ଗ ଏଭଳି ନିର୍ବାଚନ କେବେ ଦେଖି ନଥିଲା । ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ନିର୍ବାଚନ ହେବାକୁ ଯାଉଥିଲେ ବି ବିଜେପିର ଫୋକସରେ ରହିଛି ପଶ୍ଚିମବଙ୍ଗ । କାରଣ ଏହି ନିର୍ବାଚନ ଏବେ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ପଶ୍ଚିମବଙ୍ଗ ଜିତିବା ପରେ ପୂର୍ବାଂଚଳର ଅନ୍ୟ ରାଜ୍ୟକୁ ଫୋକସ କରିବାକୁ ଲକ୍ଷ୍ୟ ରଖିଛି ଦଳ । ହେଲେ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ହେବ ଅସଲ ଲଢ଼େଇ ।

ମମତାଙ୍କ ବିରୋଧରେ ଏହି ଆସନରୁ ତାଙ୍କ ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ବିଜେପି ଏହି ଆସନରୁ କଳେବଳେ ଜିିତିବା ପାଇଁ ସ୍ୱତନ୍ତ୍ର ରଣନୀତି କରୁଥିବାବେଳେ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି ମମତା ବାନାର୍ଜୀ । ବିଜେପିର ଚ୍ୟାଲେଞ୍ଜକୁ ସ୍ୱୀକାର କରି ନନ୍ଦିଗ୍ରାମରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ନିଜ ପାରମ୍ପରିକ ଆସନ ଭବାନୀପୁରକୁ ଛାଡି ଏଥର ନନ୍ଦିଗ୍ରାମରୁ ନିର୍ବାଚନ ଲଢିବା ପାଇଁ ନିଷ୍ପତି କରିଥିଲେ ଦିଦି ।

ନାମାଙ୍କନ ଭରିବା ପୂର୍ବରୁ ପଦଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଥିଲେ ମମତା । ହଜାର ହଜାର ଲୋକଙ୍କ ଗହଣରେ ଯାଇ ମମତା ହଳଦିଆରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ନିଜ ଘରୁ ଚାଲିଚାଲି ମହାରୁଦ୍ର ସିଦ୍ଧିନାଥ ମନ୍ଦିର ଯାଏଁ ଯାଇଥିଲେ ମମତା । ସେଠାରେ ପୂଜାର୍ଚ୍ଚନା କରିବା ପରେ ହେଲିକ୍ୟାପଟର ଯୋଗେ ସେଠାରୁ ହଳଦିଆ ଅଭିମୁଖେ ଯାଇଥିଲେ । ପୁଣି ହଳଦିଆ ହେଲିପ୍ୟାଡରୁ ପଦଯାତ୍ରା କରି ନାମାଂକନ ଦାଖଲ କରିବାକୁ ପହଂଚି ଯାଇଥିଲେ । ଏହି ପଦଯାତ୍ରାକୁ ଦେଖିଲେ ସ୍ପଷ୍ଟ ଜଣାପଡୁଥିଲା ବିରୋଧୀଙ୍କୁ ଶକ୍ତି ଦେଖାଉଥିଲେ ମମତା । ସେପଟେ ନନ୍ଦିଗ୍ରାମରେ ମମତାଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଶୁଭେନ୍ଦୁ ଅଧିକାରୀ, ମଧ୍ୟ ହନୁମାନ ମନ୍ଦିରରେ ପୂଜା କରିବା ସହ ଏକ ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଅର୍ଥାତ ନନ୍ଦିଗ୍ରାମରେ ଦିଦି ଓ ଦାଦା ଲଢେଇ ପାଇଁ ଏବେଠାରୁ କ୍ଷେତ୍ର ପ୍ରସ୍ତୁତ ହୋଇଛି ।

ଆଗକୁ ଲଢ଼େଇ ଜୋରଦାର ହେବାକୁ ଯାଉଥିବାବେଳେ, ସ୍ଥାନୀୟ ଅଂଚଳରେ ଦେଖିବାକୁ ମିଳିଛି ମମତା ଓ ଶୁଭେନ୍ଦୁଙ୍କ ମଧ୍ୟରେ ପୋଷ୍ଟର ୱାର । ଯେଉଁଠି ମମତାଙ୍କ ପୋଷ୍ଟର ଲାଗିଛି ଠିକ୍ ସେହିସ୍ଥାନରେ ଶୁଭେନ୍ଦୁଙ୍କ ସମର୍ଥକମାନେ ତାଙ୍କ ପୋଷ୍ଟର ଲଗାଇ ଗାଁ ପୁଅକୁ ଭୋଟ ଦେବାକୁ ଅପିଲ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ ରୋଚକ ହେଉଛି ମାହୋଲ । ନନ୍ଦିଗ୍ରାମରୁ ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି, ଯେ ନନ୍ଦିଗ୍ରାମରେ ଏଥର ମହାସଂଗ୍ରାମ ହେବ । କାରଣ କୋଲକାତାରୁ ୧୫୦ କିଲୋମିଟର ଦୂରରେ ଥିବା ନନ୍ଦିଗ୍ରାମରୁ ମମତା ତାଙ୍କ ସଂଘର୍ଷମୟ ରାଜନୀତି ଆରମ୍ଭ କରିଥିଲେ । ଅର୍ଥାତ ନନ୍ଦିଗ୍ରାମକୁ ମମତାଙ୍କ ରାଜନୀତିର କର୍ମସ୍ଥଳି  ବନାଇଥିଲେ । ଆଉ ୨୦୦୯ରେ ନନ୍ଦିଗ୍ରାମରୁ ଦୀର୍ଘ ୩୪ ବର୍ଷର ସିପିଏମର ଗଡକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ ମମତା । ଅନ୍ୟପଟେ, ନନ୍ଦିଗ୍ରାମ ଅଂଚଳରେ ଶୁଭେନ୍ଦୁ ଅଧିକାରୀଙ୍କ ପରିବାର ବେଶ୍ ଲୋକପ୍ରିୟତା ରହିଛି ।