ଭବାନୀପୁରରେ ଉଡିଲା ମମତାଙ୍କ ବିଜୟ ବାନା, ବଞ୍ଚିଗଲା ଦିଦିଙ୍କ ମୁଖ୍ୟମନ୍ତ୍ରୀ ଆସନ ।

211

କନକ ବ୍ୟୁରୋ : ଭବାନୀପୁରରେ ଉଡିଲା ମମତାଙ୍କ ବିଜୟ ବାନା । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ମାତ୍ ଦେଇ ମହାବିଜୟ ହାସଲ କରିଛନ୍ତି ମମତା । ପ୍ରାୟ ୫୮ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ଦିଦି ଦମଦାର ବିଜୟ ହାସଲ କରିଛନ୍ତି । ଏହି ବିଜୟ ମମତାଙ୍କ ପାଇଁ ଅନେକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିଲା । କାରଣ ଏହି ଆସନ ମାଧ୍ୟମରେ ନିଜ ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇବା ପାଇଁ ମମତାଙ୍କ ପାଖରେ ଶେଷ ସୁଯୋଗ ରହିଥିଲା । ଏହାଛଡା ଭବାନୀପୁର ଆସନରେ ବିଜୟ ସହ ମମତା ବିଜେପିକୁ ମଧ୍ୟ କଡା ଜବାବ ଦେଇଛନ୍ତି । ଭବାନୀପୁରବାସୀ ଭରସାର ଭୋଟ ଦେଇ ମମତାଙ୍କ ମୁଖ୍ୟମନ୍ତ୍ରୀ ଆସନକୁ ସୁରକ୍ଷିତ କରିଛନ୍ତି ।

ଗତ ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଥିଲେ । ମମତାଙ୍କ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନ ଯାଇଥିଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା । କାରଣ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନଥାଇ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିଥାଏ । ନଚେତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାଏ । ଯେହେତୁ ମମତା ନନ୍ଦୀଗ୍ରାମ ଆସନରୁ ପରାଜିତ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଛନ୍ତି ତେଣୁ ଭବାନୀପୁର ଆସନରେ ବିଜୟୀ ହେବା ତାଙ୍କ ପାଇଁ ଜରୁରୀ ହୋଇ ପଡିଥିଲା ।

ଅନ୍ୟପଟେ ଭବାନୀପୁରରେ ମମତାଙ୍କୁ ମାତ୍ ଦେବାକୁ ବିଜେପି ସବୁ ପ୍ରକାର ପ୍ରୟାସ କରି ବିଫଳ ହୋଇଛି । କାରଣ ମମତାଙ୍କୁ ରାଜନୈତିକ ଚେକ୍ ଦେବାକୁ  ବିଜେପି ପାଖରେ ବଡ ସୁଯୋଗ ରହିଥିଲା । ଭବାନୀପୁର ଆସନରେ ମମତାଙ୍କୁ ପରାଜିତ କରି ମୁଖ୍ୟମନ୍ତ୍ରୀ ପଦରୁ ହଟାଇଥିଲେ ପଶ୍ଚିମବଙ୍ଗରେ ନିଜର ନବକଳେବର ପୁଣିଥରେ ବୃଦ୍ଧି କରିବାର ବାଟ ବିଜେପିକୁ ମିଳିଥାନ୍ତା । କିନ୍ତୁ ଏହାକୁ ସଫଳ କରାଇ ଦେଇନାହାନ୍ତି ମମତା । ବିଜେପିକୁ ମାତ୍ ଦେଇ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନକୁ ବଞ୍ଚାଇପାରିଛନ୍ତି ମମତା ।