ନନ୍ଦିଗ୍ରାମରେ ମହାସଂଗ୍ରାମ । ଶେଷ ଦିନରେ ମମତା ବନାମ ଶାହ ସୋ ।  ହ୍ୱିଲ ଚେୟାରରେ ବସି ରୋଡ ସୋ କଲେ ମମତା ।

137

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ମହାଲଢେଇ । ମମତା ବନାମ ଶାହ । ନନ୍ଦିଗ୍ରାମରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧ ତାରିଖରେ ପଡିବ ଭୋଟ୍ । ଏଥିପାଇଁ ମଙ୍ଗଳବାର ପ୍ରଚାର ଶେଷ ହେଉଥିବାବେଳେ, ଶେଷ ମୁହୂର୍ତରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରିଛନ୍ତି ଦୁଇ ପ୍ରମୁଖ ଦଳ । ତୃତୀୟ ଥର କ୍ଷମତାରେ ରହିବାକୁ ସବୁ ବଳ ଲଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅନ୍ୟ ପକ୍ଷରେ ୨୦୧୯ ଲୋକସଭା ନିର୍ବାଚନରେ ବିପୁଳ ସଫଳତା ପରେ ପଶ୍ଚିମବଙ୍ଗ ଦଖଲ ପାଇଁ ରଣନୀତି ବନାଇଛି ବିଜେପି ।

ନନ୍ଦିଗ୍ରାମରେ ଭୋଟରଙ୍କ ମନ ଜିଣିବା ପାଇଁ ଶେଷ ପ୍ରୟାସ । ହ୍ୱିଲ ଚେୟାରରେ ରାଲି ବାହାର କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରତିପକ୍ଷ ଶୁଭେନ୍ଦୁ ଅଧିକାରୀଙ୍କୁ ହରାଇ, ବିଜେପିକୁ ଧୁଳି ଚଟାଇବା ପାଇଁ ଅଂଟା ଭିଡିଛନ୍ତି ମମତା । ରାଲିରେ ଉଦବୋଧନ ଦେଇ ମମତା କହିଛନ୍ତି, ଥରେ ସେ ନନ୍ଦିଗ୍ରାମକୁ ଆସିଛନ୍ତି ମାନେ ଏହାକୁ ଛାଡିବେ ନାହିଁ ।

ମମତା ଆଜି ର୍ୟାଲି ସମୟରେ ଜନତାଙ୍କୁ କିଛି ଏପରି ଢଙ୍ଗରେ ନିବେଦନ କରିଛନ୍ତି । କହିଛନ୍ତି ମୁଣ୍ଡକୁ ଥଣ୍ଡା ରଖନ୍ତୁ । ଏବଂ ତ୍ରୁଣମୂଳ କଂଗ୍ରେସକୁ ଭୋଟ ଦିଅନ୍ତୁ । ମମତାଙ୍କ ନାରା ହେଲା, କୁଲ କୁଲ ତ୍ରୁଣମୂଳ, ଥଣ୍ଡା ଥଣ୍ଡା କୁଲ କୁଲ, ଭୋଟ ପାବେ ଜୋଡା ଫୁଲ । ଆସନ୍ତା ୪୮ ଘଂଟା ପାଇଁ ମୁଣ୍ଡକୁ ଥଣ୍ଡା ରଖିବା ପାଇଁ ପୁରା ବଂଗାଲକୁ କହିଛନ୍ତି ଦିଦି ।

ଦିନ ୧୧ଟା ବେଳେ ମମତାଙ୍କ ର୍ୟାଲି ଥିବା ବେଳେ ଦିନ ପ୍ରାୟ ୧୨ଟା ବେଳେ ଥିଲା ଅମିତ ଶାହାଙ୍କ ରୋଡ ସୋ । ଆଉ ଯେତେବେଳେ ମମତାଙ୍କ ର୍ୟାଲି ଅମିତ ଶାହଙ୍କ ରୋଡ ସୋ ସ୍ଥାନ ଦେଇ ଯାଉଥିଲା ସେତେବେଳେ ଜୟଶ୍ରୀରାମର ନାରା ଶୁଣିବାକୁ ମିଳିଥିଲା । ଖଚାଖଚ ସମର୍ଥକଙ୍କ ଭିଡରେ ନନ୍ଦିଗ୍ରାମରେ ଅମିତ ଶାହ ରାଲି କରିଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଏହି ରୋଡ ସୋ କରି ତାକତ ଦେଖାଇଛନ୍ତି ଶାହ । ଜନସଭାଙ୍କୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି, ଏଥର ପୁରା ବଙ୍ଗାଲ ପରିବର୍ତନ ମୁଡରେ ଅଛି । ଆଉ ଏଥିପାଇଁ ସବୁଠୁ ସହଜ ରାସ୍ତା ହେଲା ନନ୍ଦିଗ୍ରାମରେ ମମତାଙ୍କୁ ହରାଇଦିଅ । ପୁରା ବଙ୍ଗାଲରେ ଆପଣାଛାଏଁ ପରିବର୍ତନ ଆସିଯିବ ।

ଦିନେ ମମତାଙ୍କ ଏକାନ୍ତ ଅନୁଗତ ଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ନିଜ ପଟକୁ ଆଣି ସେହି ମମତାଙ୍କ ବିରୋଧରେ ଛିଡା କରିଛି ବିଜେପି । ତେବେ ନିଜ ପାରମ୍ପରିକ ଆସନ ଭବାନୀପୁର ଛାଡି ଏଥର ନନ୍ଦିଗ୍ରାମରେ ମୈଦାନକୁ ଓହ୍ଲାଇଛନ୍ତି ମମତା । ଏପରି ରଣନୀତି ପଛରେ ମମତାଙ୍କ ବିଜେପିକୁ ସିଧାସଳଖ ଚ୍ୟାଲେଞ୍ଜ ଦେବାର ଏକ ଚାଲ ରହିଥିବା କୁହାଯାଉଛି । ସେପଟେ ସୋନାର ବାଂଲା ନାରା ଦେଇ ଏହି ନିର୍ବାଚନୀ ବୈଚରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ବିଜେପି । ବିଜେପିର ହେବିୱେଟ ନେତାମାନେ ପ୍ରଚାର ମୈଦାନରେ ସାମିଲ ହୋଇଛନ୍ତି । କେବଳ ମଙ୍ଗଳବାର ହିଁ ଅମିତ ଶାହା ୩ଟି ରୋଡ ସୋ କରି ବିଜେପିକୁ ଜିତ ଦେବା ପାଇଁ ଜୋରଦାର ପ୍ରୟାସ କରିିଛନ୍ତି ।