ପଶ୍ଚିମବଙ୍ଗରେ ଗୋତ୍ର କାର୍ଡ ଖେଳିଲେ ମମତା । ନନ୍ଦିଗ୍ରାମରେ ବିଗାଡିଦେଲେ ବିଜେପିର ହିନ୍ଦୁ ଭୋଟର କାର୍ଡ 

1,803

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନରେ ଆଜି ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କିନ୍ତୁ ଏହାରି ଭିତରେ ପୁରା ବେଙ୍ଗଲ ରାଜନୀତିକୁ ସରଗରମ୍ କରି ରଖିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋତ୍ର । ଗତ ୩୦ ତାରିଖରେ ନନ୍ଦିଗ୍ରାମରେ ପ୍ରଚାରର ଶେଷ ପର୍ଯ୍ୟାୟରେ ମମତା ଖେଳିଛନ୍ତି ଏହି ଗୋତ୍ର କାର୍ଡ । କୁହାଯାଉଛି ମମତା ଏହି ଗୋତ୍ର କାର୍ଡ ଖେଳି ନନ୍ଦିଗ୍ରାମରେ ବିଜେପିର ହିନ୍ଦୁ ଭୋଟର କାର୍ଡର ଖେଳକୁ ବିଗାଡି ଦେଇଛନ୍ତି । ସେପଟେ ମମତାଙ୍କ ଏହି ଗୋତ୍ର ରାଜନୀତିକୁ ନାପସନ୍ଦ କରିଛି ବିଜେପି ।

ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନର ପ୍ରଚାରର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏପରି ଏକ କଥା କହିଛନ୍ତି ଯାହାକୁ ନେଇ ପୁରା ବେଙ୍ଗଲ ନିର୍ବାଚନ ହୋଇଛି ସରଗରମ୍ । ନିର୍ବାଚନ ମୈଦାନରେ ଏଥର ମମତା ଖେଳିଛନ୍ତି ଗୋତ୍ର କାର୍ଡ । କହିଛନ୍ତି ତାଙ୍କର ଗୋତ୍ର ଶାଣ୍ଡିଲ୍ୟ । କିନ୍ତୁ ସେ ନିଜର ଗୋତ୍ର ମା, ମାଟି ଓ ମାନୁଷ ବୋଲି ବିଚାର କରିଥାନ୍ତି । ନନ୍ଦିଗ୍ରାମରେ ହାଇଭୋଲଟେଜ୍ ଲଢେଇ ଭିତରେ ମମତା ପ୍ରଚାରର ଶେଷ ଦିନରେ ନିଜର ଗୋତ୍ର କଥା କହିବା ରାଜନୀତିକୁ ଅଧିକ ଚର୍ଚାକୁ ଆଣିଛି ।

ନନ୍ଦିଗ୍ରାମରେ ସାଧାରଣତଃ ଭୋଟ୍ ରହିଛି ଦୁଇ ଭାଗରେ । ଗୋଟିଏ ମୁସଲିମ୍ ବହୁଳ ଅଂଚଳ, ଅନ୍ୟଟି ହିନ୍ଦୁ ବହୁଳ ଅଂଚଳ । ପ୍ରଚାରର ଶେଷ ଦିନରେ ମମତା ନିଜର ଗୋତ୍ର ଶାଣ୍ଡିଲ୍ୟ ବୋଲି କହି , ହିନ୍ଦୁ ଭୋଟରଙ୍କୁ ଅଧିକ ପ୍ରଭାବିତ କରିବାକୁ ଚାଲ୍ ଖେଳିଛନ୍ତି । ଯାହାକୁ ନେଇ ଜାତୀୟ ରାଜନୈତିକ ଦଳ ଗୁଡିକ ମଧ୍ୟ ନାପସନ୍ଦ କରିଛନ୍ତି । ଏଆଇଏମଆଇଏମ୍ ମୁଖ୍ୟ ଅସଉଦ୍ଦିନ୍ ଓୱେସୀ ଏହାକୁ ନେଇ ମମତାଙ୍କ ଉପରେ ବର୍ଷିଛନ୍ତି ।

ମମତା ଗୋତ୍ର କାର୍ଡ ଖେଳି ଯେଉଁ ସାମ୍ପ୍ରଦାୟିକ ରାଜନୀତି ଆରମ୍ଭ କରିଛନ୍ତି, ସେହି ସମାନ ରାଜନୀତି କରୁଛନ୍ତି ମୋଦି । ଏସବୁ ଭିତରେ ମୁସଲିମ୍ ଭୋଟର ଓ ଦଳିତ ଭୋଟରଙ୍କର କଣ ହେବ ବୋଲି ମମତାଙ୍କୁ ଆକ୍ଷେପ କରିଛନ୍ତି ଅସଉଦ୍ଦିନ୍ । ନିଜର ଗୋତ୍ର କହିବା ସହିତ ମମତା ସମସ୍ତ ଅଣ ବିଜେପି ଦଳ ଗୁଡିକୁ ଏକାଠି ହୋଇ ବିଜେପି ବିରୋଧରେ ଲଢେଇ କରିବାକୁ ଆହ୍ୱାନ ବି ଦେଇଛନ୍ତି । କଂଗ୍ରେସ, ଏନସିପି, ଆପ ସହିତ ୧୫ ପ୍ରମୁଖ ରାଜନୈତିକ ଦଳକୁ ବି ଏକାଠି ହୋଇ ବିଜେପି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଇଛନ୍ତି ମମତା । ଏଥର ନିର୍ବାଚନରେ ଦିଦିଙ୍କର ଏହି ଚାଲ କାମ ଦେବନି ବୋଲି କହିଛି ବିଜେପି । ଜୟଶ୍ରୀରାମ୍ ନାରାକୁ ଶୁଣି ଚିହିଁକି ଉଠୁଥିବା ଦିଦିଙ୍କ ଏହି ରାଜନୀତି କାମ ଦେବନି ବୋଲି କହିଛନ୍ତି ଶୁଭେନ୍ଦୁ ଅଧିକାରୀ ।

ଏଥର ନନ୍ଦିଗ୍ରାମରେ ମମତା ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ହୋଇଛି କଡା ଲଢେଇ । ମମତାଙ୍କ ଏହି ଗୋତ୍ର ରାଜନୀତି ନନ୍ଦିଗ୍ରାମରେ ଦିଦିଙ୍କୁ କେତେ ଫାଇଦା ଦେଉଛି ନିର୍ବାଚନ ଫଳାଫଳ ହିଁ ସ୍ପଷ୍ଟ କରିବ ।