ଦିଲ୍ଲୀରେ ମୋଦୀଙ୍କୁ ଭେଟିଲେ ମମତା । ଇଡି ତନଘନା ବେଳେ ଦିଦିଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ।

188

କନକ ବ୍ୟୁରୋ: ନୂଆଦିଲ୍ଲୀରେ ମୋଦୀଙ୍କୁ ଭେଟିଛନ୍ତି ମମତା । ପଶ୍ଚିମବଙ୍ଗରେ ମମତାଙ୍କ ଏକଦା ଘନିଷ୍ଠ ସହଯୋଗୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ଏବଂ ଶିକ୍ଷକ ନିଯୁକ୍ତି ସ୍କାମର ତଦନ୍ତ କରୁଛି । ଏହାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଉଠୁଥିବା ପଡ଼ୁଥିବା ବେଳେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏପରି ରାଜନୈତିକ ହଲଚଲ ସମୟରେ ମୋଦୀ-ମମତାଙ୍କ ଏହି ଭେଟଘାଟକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଆଜି ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଜିଏସଟି, ଦରଦାମ ବୃଦ୍ଧି ସହ ବିଭିନ୍ନ ପ୍ରସଙ୍ଗରେ ଦିିଦି ଆଲୋଚନା କରିଥିବା ସୂଚନା ମିଳିଛି । ଏହି ଅବସରରେ କେନ୍ଦ୍ରଠାରୁ ଜିଏସଟି ବାବଦକୁ ପଶ୍ଚିମବଙ୍ଗ ପାଇବାକୁ ଥିବା ବକେୟା ଏକ ଲକ୍ଷ କୋଟି ଟଙ୍କା ତୁରନ୍ତ ଦେବା ପାଇଁ ମମତା ଦାବି କରିଥିବା ସୂଚନା ମିଳିଛି । ଏହାଛଡା ମନରେଗା, ପିଏମ୍ ଆବାସ ଯୋଜନା ଓ ପିଏମ୍ ସଡ଼କ ଯୋଜନାରେ ଅର୍ଥ ଯୋଗାଇବାକୁ ସେ ଦାବି କରିଥିବା ଚର୍ଚା ହେଉଛି । କାରଣ ଆଜି ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମମତା ।

ଗତ ବର୍ଷ ନୀତି ଆୟୋଗର ବୈଠକରେ ଯୋଗଦେଇନଥିବା ମମତା ବାନାର୍ଜୀ ଆସନ୍ତା ରବିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନୀତି ଆୟୋଗର ବୈଠକରେ ସାମିଲ ହେବେ ବୋଲି ସୂଚନା ମିଳିଛି । ସେପଟେ ମୋଦୀ-ମମତାଙ୍କ ସାକ୍ଷାତ ପୂର୍ବରୁ ପଶ୍ଚିମବଙ୍ଗ ବିଜେପି ନେତା ଦିଲୀପ ଘୋଷଙ୍କ ବୟାନ ଚର୍ଚ୍ଚା ସୃଷ୍ଟି କରିିଥିଲା । ଦିଲ୍ଲୀପ ଘୋଷ କହିିଥିଲେ ମୋଦୀଙ୍କୁ ଭେଟି ସବୁ କିଛି ଠିକ୍ ହୋଇଗଲା ବୋଲି ଲୋକଙ୍କୁ ଦେଖାଇବାକୁ ଚେଷ୍ଟା କରନ୍ତି ମମତା । ତେଣୁ ଏ ଦିଗରେ କେନ୍ଦ୍ର ସରକାର ଧ୍ୟାନ ଦେବା ଉଚିତ ।

ଅନ୍ୟପଟେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଦିଲ୍ଲୀରେ ତୃଣମୂଳ କଂଗ୍ରେସର ସଂସଦୀୟ ଦଳର ବୈଠକରେ ଯୋଗ ଦେଇଥିଲେ ମମତା । ବିଭିନ୍ନ ପ୍ରସଙ୍ଗରେ ସଂସଦରେ କେନ୍ଦ୍ର ସରକାରଙ୍କୁ ଦୃଢ଼ ବିରୋଧ କରିବା ପାଇଁ ଦଳୀୟ ସାଂସଦଙ୍କୁ ସେ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରି ଆସୁଛନ୍ତି ମମତା । ତେଣୁ ଦୁଇ ନେତାଙ୍କ ସାକ୍ଷାତ ଆଲୋଚନା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପିଏମଓ ପକ୍ଷରୁ ଟ୍ୱିଟ୍ କରି ଦୁଇ ନେତାଙ୍କ ଭେଟଘାଟ ସଂପର୍କରେ ସୂଚନା ଦିଆଯାଇଛି । ତେବେ କଣ ଆଲୋଚନା ହେଲା, ଏ ନେଇ କିଛି ସୂଚନା ଦିଆଯାଇନାହିଁ ।