ମୋଦୀଙ୍କ ବିରୋଧରେ ମମତା ବାନ୍ଧୁଛନ୍ତି ମେଳି । ସୋନିଆଙ୍କୁ ଭେଟିଲେ ଦିଦି । କହିଲେ, ବିଜେପିକୁ ପରାସ୍ତ କରିବାକୁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ।

398

କନକ ବ୍ୟୁରୋ: ମୋଦୀ ସରକାର ଓ ବିଜେପି ବିରୋଧରେ ମେଳି ବନ୍ଧିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୪ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମମତା ମାରାଥନ ମିଟିଂ କରିଛନ୍ତି ଆଉ ବିଜେପି ବିରୋଧି ସାମୁଖ୍ୟକୁ ଜୋରଦାର କରିବା ପାଇଁ ଗୋଟିଏ ପରେ ଗୋଟିଏ ହେବିୱେଟ ନେତାଙ୍କୁ ଭେଟୁଛନ୍ତି ମମତା ।

ଆଜି କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କୁ  ମମତା ବାନାର୍ଜୀ ଭେଟିଥିବାବେଳେ ବୈଠକରେ ସୋନିଆଙ୍କ ସହ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରି ବିଜେପି ବିରୋଧୀ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ମମତା । ତେବେ ଏହି ଭିତରେ ସୋନିଆ ଓ ମମତାଙ୍କ ବୈଠକକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।

ତେବେ ଏହି ବିରୋଧୀ ମେଣ୍ଟର ନେତୃତ୍ୱ କିଏ ନେବ? ସେ ନେଇ କଳ୍ପନା ଜଳ୍ପନା ଚାଲିଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯିଏ ବି ଏହି ମେଣ୍ଟର ନେତୃତ୍ୱ ନିଅନ୍ତୁ, ସେ ଜଣେ ସୈନିକ ଭଳି କାମ କରିବେ । ଏହି ବୈଠକରେ ପେଗାସସ୍ ଏବଂ କୋଭିଡ୍-୧୯ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା କରାଯାଇଥିବା ମମତା କହିଛନ୍ତି । ସୂଚନାଯୋଗ୍ୟ ଯେ, ଆସନ୍ତା ୨୯ ତାରିଖରେ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ଫେରିବେ । ଏହା ପୂର୍ବରୁ ସେ ଶରଦ ପାୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ ପ୍ରମୁଖ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।