ମହାବିଜୟ ଅଭିମୁଖେ ବଢୁଛନ୍ତି ମମତା । ୫୫ ହଜାରରୁ ଅଧିକ ଭୋଟ ଆଗରେ ରହିଛନ୍ତି ଦିଦି । 

130

କନକ ବ୍ୟୁରୋ : ମହାବିଜୟ ଅଭିମୁଖେ ମମତା । ଭବାନୀପୁରରେ ୫୫ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି ମମତା । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପଛରେ ପକାଇ ୫୫ ହଜାର ଭୋଟରେ ଆଗୁଆ ରହିଛନ୍ତି ଦିଦି । ୨୦ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ମମତା ଆଗରେ ରହିଛନ୍ତି । ଆଉ ଏହାସହ ମମତାଙ୍କ ବିଜୟ ଏକପ୍ରକାର ନିଶ୍ଚିତ ହୋଇ ସାରିଛି । ଆଉ ମାତ୍ର ଗୋଟିଏ ରାଉଣ୍ଡ ଭୋଟ ଗଣତି ବାକି ଥିବା ବେଳେ ମମତାଙ୍କ ବିଜୟ ପକ୍କା ହୋଇ ସାରିଛି । ଯେଉଁଥିପାଇଁ ମମତାଙ୍କ ବାସଭବନ ଆଗରେ ଟିଏମସି କର୍ମୀ ଉତ୍ସବ ମନାଇବା ସହ ମିଠା ଖୁଆଇ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି ।

ଗତ ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଛନ୍ତି । ଭବାନୀପୁର ଉପ-ନିର୍ବାଚନରେ ମୋଟ ୫୩.୩୨ ପ୍ରତିଶତ ମତଦାନ ହୋଇଥିବା ଫଳାଫଳ କାହା ସପକ୍ଷରେ ଯିବ ତାହାର ଆକଳନ କରିବା ବେଶ କଷ୍ଟକର ହୋଇପଡିଛି । କାରଣ ମମତାଙ୍କୁ ମାତ୍ ଦେବାକୁ ବିଜେପି ଜୋର ଲଗାଇଥିଲା । ଦଳ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ କରି ମମତାଙ୍କୁ କଡା ଟକ୍କର ଦେଇଛି ବୋଲି ଦାବି କରିଛି ।

ଅନ୍ୟପଟେ ଏହି ନିର୍ବାଚନ ମମତାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ କରାଯାଉଛି । କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନଗଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିପାରେ । କାରଣ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନଥାଇ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିଥାଏ । ନଚେତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାଏ । ଯେହେତୁ ମମତା ନନ୍ଦୀଗ୍ରାମ ଆସନରୁ ପରାଜିତ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଛନ୍ତି ତେଣୁ ଭବାନୀପୁର ଆସନ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ।