ଚତୁର୍ଥ ଦିନରେ ହ୍ୱିଲ୍ ଚେୟାରରେ ବସି ପ୍ରଚାର କଲେ ମମତା । କହିଲେ, ବାହାରି ଗୁଣ୍ଡାଙ୍କୁ ନିର୍ବାଚନ ଲଢିବାକୁ ଦେବେନାହିଁ ।

98

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ଚତୁର୍ଥ ଦିନରେ ହ୍ୱିଲ ଚେୟାରରେ ବସି ନିର୍ବାଚନୀ ରଣାଙ୍ଗନକୁ ଓହ୍ଳାଇଛନ୍ତି । ମଙ୍ଗଳବାର ଦିନ ନିର୍ବାଚନୀ ସଭାରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମମତା ବାନାର୍ଜୀ ମାଗଣା ରାସନ ସାମଗ୍ରୀ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ଯାହାକୁ ନେଇ ପୁରୁଲିଆ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି ନିର୍ବାଚନ କମିଶନ । ଆଚାର ସଂହିତା ଉଲ୍ଲଙ୍ଘନ କରିବା ଭଳି ଘାଷଣା ହୋଇଛି ବୋଲି ରିପୋର୍ଟ ତଲବ କରିଛନ୍ତି ଇସି ।

ସେପଟେ ନିର୍ବାଚନ ପ୍ରଚାର ବେଳେ ଆହତ ହୋଇଥିବା ମମତା ଏବେ ଆହୁରି ଆକ୍ରମଣାତ୍ମକ ହୋଇପଡିଛନ୍ତି । ନିର୍ବାଚନୀ ପ୍ରଚାର ବେଳେ ମମତା ବିଜେପିକୁ ଟାର୍ଗେଟ କରିଛନ୍ତି । ବାହାରି ଗୁଣ୍ଡାଙ୍କୁ ନିର୍ବାଚନ ଲଢିବାକୁ ଦେବେନାହିଁ ବୋଲି କହିବା ସହ ନିର୍ବାଚନ କମିଶନଙ୍କୁ ବିଜେପି ନିୟନ୍ତ୍ରଣ କରୁଥିବା ଅଭିଯୋଗ ଆଣିଛନ୍ତି ମମତା । ଯାହାର ଜବାବ ରଖିଛି ବିଜେପି ।

ଆସନ୍ତା ନିର୍ବାଚନରେ ମମତାଙ୍କ ଗଡରେ ଧସେଇ ପଶିବା ପାଇଁ ସବୁ କଳ ବଳ କୌଶଳ ଲଗାଇ ଦେଇଛି ବିଜେପି । ରାଜ୍ୟରେ ବିଜେପିର ତାରକା ପ୍ରଚାରକ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିଛନ୍ତି । ସବୁଠାରୁ ବଡ କଥା ହେଉଛି, ପଶ୍ଚିମବଙ୍ଗର ଏହି ଲଢ଼େଇ, ବହୁ ତୁଙ୍ଗ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ପଶ୍ଚିମବଙ୍ଗ ଦେଇ ଓଡିଶା ଉପରେ ନଜର ରଖିଥିବା ବିଜେପି ପାଇଁ ଏହି ନିର୍ବାଚନ ଯେତିକି ଗୁରୁତ୍ୱପୂର୍ଣ୍ଣ, ନିଜର ଗଡ ରକ୍ଷା କରିବା ମମତାଙ୍କ ପାଇଁ ସେତିକି ବଡ ଆହ୍ୱାନ । ଯଦି ବିଜେପି ପଶ୍ଚିମବଙ୍ଗ ଦଖଲ କରିବ ତେବେ ଓଡିଶା ଆଡକୁ ଏହାର ନଜର ଆହୁରି ଜୋରଦାର ହେବ । ଏଥର ପଶ୍ଚିମବଙ୍ଗରେ ବିଜେପି ଯେତିକି ଜୋର ଲଗାଇଛି, ତାହାର କଣ ପରିଣାମ ଆସୁଛି, ସେଥିରୁ ଦେଶ ତଥା ଆଂଚଳିକ ରାଜନୀତିର ଭବିଷ୍ୟତ ନିର୍ଦ୍ଧାରଣ ହେବ ବୋଲି କୁହାଯାଇ ପାରିବ ।