ନିଜ ଟଙ୍କାରେ ଜମି କିଣି ସରକାରଙ୍କୁ ଦାନ କଲେ ନିମାପଡ଼ାର ଅଙ୍ଗନୱାଡି କର୍ମୀ ମମତା ବେହେରା । ଗାଁରେ ତିଆରି ହେଲା ନୂଆ ଅଙ୍ଗନୱାଡି କେନ୍ଦ୍ର ।

252

କନକ ବ୍ୟୁରୋ: ନିଜ ଗାଁରେ ଅଙ୍ଗନୱାଡି ଘର କରିବାକୁ ସରକାରଙ୍କୁ ଜମି ଦାନ କଲେ ମମତା । ଆଉ ତାଙ୍କର ଏଭଳି ମହାନ କାମ ପରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ କଂଟାବଣିଆ ଗାଁରେ ଛିଡା ହୋଇଛି ଏକ ସୁନ୍ଦର ଅଙ୍ଗନୱାଡି ଗୃହ । ଯେଉଁଠି ଛୋଟ ଛୋଟ ପିଲାମାନେ ପାଠ ପଢିବା ସହିତ ନିଜ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ମମତା ବେହେରା  ହେଉଛନ୍ତି ଜଣେ ଅଙ୍ଗନୱାଡି କର୍ମୀ । ଆଉ ତାଙ୍କରି ମହାନତା ଯୋଗୁଁ ଆଜି ତାଙ୍କ ଗାଁରେ ସୁନ୍ଦର ଅଙ୍ଗନୱାଡି କେନ୍ଦ୍ରଟିଏ ନିର୍ମାଣ ହୋଇ ପାରିଛି । ନିମାପଡ଼ା ବ୍ଲକ ଅନ୍ତର୍ଗତ କଂଟାବଣିଆ ଗାଁର ଅଙ୍ଗନୱାଡି କେନ୍ଦ୍ରଟି ସରକାରୀ ଅନୁଦାନରେ ତିଆରି ହୋଇଛି ସତ, କିନ୍ତୁ ଘର ଠିଆ ହୋଇଥିବା ଜାଗାଟି ଅଙ୍ଗନୱାଡି କର୍ମୀ ମମତା ବେହେରା ସରକାରଙ୍କୁ ଦାନ କରିଛନ୍ତି ।

୨୦୦୬ ମସିହାରେ ଅଙ୍ଗନୱାଡି କର୍ମୀ କାମ ଆରମ୍ଭ କରନ୍ତି ମମତା । ସେତେବେଳେ ଗାଁରେ କେନ୍ଦ୍ର ଚଳାଇବା ପାଇଁ ସ୍ଥାୟୀ ଘରଟିଏ ନଥାଏ । ଖରା, ବର୍ଷା, ଶୀତରେ କୁନି କୁନି ପିଲାଙ୍କୁ ଧରି ମମତା ଆ’ ପିଣ୍ଡା ତା ପିଣ୍ଡାରେ ପାଠ ପଢାନ୍ତି, ହଜାରେ ଟଙ୍କା ଦରମା ପାଆନ୍ତି । ଆଉ ଗାଁରେ ସରକାରୀ ଜମି ନଥିବାରୁ କେନ୍ଦ୍ର ନିର୍ମାଣ ପାଇଁ ଆସୁଥିବା ଅନୁଦାନ ଫେରିଯାଏ । ଯାହା ମମତାଙ୍କୁ ବ୍ୟତିବ୍ୟସ୍ତ କରେ । ଶେଷରେ ମମତା ଚିନ୍ତା କରନ୍ତି, ନିଜେ ଟଙ୍କା ସଂଚୟ କରିବେ, ଏବଂ ଜାଗା କିଣି ଅଙ୍ଗନୱାଡି କେନ୍ଦ୍ରଟିଏ ନିର୍ମାଣ କରିବେ । ସ୍ୱାମୀଙ୍କ ସହଯୋଗରେ ମମତା ୭୦ ହଜାର ଟଙ୍କାରେ ଜାଗାଟିଏ କିଣି ସରକାରଙ୍କୁ ଦାନ କରନ୍ତି । ଆଉ ଆଜି ସେହି ଜାଗାରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ସ୍ଥାୟୀ ଘରଟିଏ ନିର୍ମାଣ ହୋଇ ପାରିଛି ।