ବାଟବଣା ହେଲା ଦିଦିଙ୍କ ହେଲିକପ୍ଟର । ରାଲିକୁ ଯିବା ବଦଳରେ ବାଂଲାଦେଶ ସୀମାରେ ପହଞ୍ଚିଲେ ମମତା ।

785

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି । ସୂଚନା ଅନୁଯାୟୀ, ଆଜି ଉତ୍ତର ଦିନାଜପୁରରେ ମମତା ଏକ ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଯେଉଁ ହେଲିକପ୍ଟରରେ ମମତା, ରାଲି ସ୍ଥଳକୁ ଯାଉଥିଲେ, ତାହା ରାସ୍ତାରେ ହିଁ ବାଟବଣା ହୋଇଯାଇଥିବା ଜଣାପଡିଛି । ଯେଉଁ କାରଣରୁ ରାଲିରେ ବିଳମ୍ବରେ ପହଞ୍ଚିଥିଲେ ମମତା । ତେବେ କିପରି ଏତେ ବଡ ଘଟଣା ଘଟିଲା, ସେନେଇ ଖୋଳତାଡ ଚାଲିଛି ।

ତେବେ ଏହି ଘଟଣା ଆଜି ଦ୍ୱିପହର ୧ଟା ୫ ମିନିଟରେ ସମୟରେ ଘଟିଥିଲା । ସିଲିଗୁଡି ଠାରୁ ମମତା ହେଲିକପ୍ଟରରେ ବସିଥିଲେ । ଏବଂ ନିର୍ଦ୍ଧାରିତ ସମୟ ଅନୁଯାୟୀ, ୧ଟା ୨୭ ମିନିଟରେ ତାଙ୍କୁ ଉତ୍ତର ଦିନାଜପୁରରେ ପହଞ୍ଚିବାର ଥିଲା । କିନ୍ତୁ ସେ ସେଠାରେ ପାଖାପାଖି ୨ଟାରେ ପହଞ୍ଚିଥିଲେ । ଏବଂ ରାଲିକୁ ସମ୍ବୋଧିତ କରି ବିଳମ୍ବରେ ଆସିଥିବାରୁ ଉପସ୍ଥିତ ଥିବା ଜନତାଙ୍କ ଠାରୁ କ୍ଷମା ପ୍ରାର୍ଥନା କରିଥିଲେ ମମତା । ଏବଂ ଘଟଣା ସମ୍ପର୍କରେ କହିଥିଲେ । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ମମତାଙ୍କ ହେଲିକପ୍ଟରଟି ବାଟବଣା ହୋଇ ବାଂଲାଦେଶ ସୀମାରେ ପହଞ୍ଚିଥିଲା ବୋଲି ଜଣାପଡିଛି ।