ଉପନିର୍ବାଚନରେ ଦମ୍ ଦେଖାଇଲେ ଦିଦି । ଭବାନୀପୁରରେ ଜିତିଲେ ମମତା ବାନାର୍ଜୀ ।

180

କନକ ବ୍ୟୁରୋ : ପଶ୍ଚିମବଙ୍ଗର ଭବାନୀପୁରରେ ବାଜି ମାରିଛନ୍ତି ମମତା ବାନାର୍ଜୀ । ବିଜେପିର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ପ୍ରିୟଙ୍କା ତ୍ରିବେୱାଲକୁ ୫୮ ହଜାର ୮୩୨ ଭୋଟରେ ହରାଇଛନ୍ତି । ନିର୍ବାଚନ ଜିତିବା ପରେ ମମତା ଭବାନୀପୁର ବାସିନ୍ଦାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି, କେନ୍ଦ୍ରର ଷଡଯନ୍ତ୍ରକୁ ପଶ୍ଚିମବଙ୍ଗର ଜନତା ଭଣ୍ଡୁର କରିଦେଇଛନ୍ତି । ସେହିପରି ଫଳାଫଳ ଆସିବା ପରେ ମମତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରିୟଙ୍କା ତ୍ରିବେୱାଲ ।

ଉପନିର୍ବାଚନରେ ମମତାଙ୍କ ବଡ଼ ବିଜୟ । ଭବାନୀପୁରରେ ଟିଏମସିର ବିଜୟ ପତାକା । ବାଣ ଫୁଟାଇ, ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି ଟିଏମସି ସମର୍ଥକ । ସେମାନଙ୍କ ପ୍ରିୟ ନେତ୍ରୀ ନିଜ ପୁରୁଣା ଗଡ଼ରେ ଉଡ଼ାଇଛନ୍ତି ବିଜୟର ବାନା । ବିଜେପିର ସବୁ ପ୍ରକାର ପ୍ରୟାସ ଓ ଚେଷ୍ଟା ରୋକିପାରିନି ମମତାଙ୍କ ବିପୁଳ ବିଜୟକୁ ।

ଭବାନୀପୁର ଉପନର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ମମତା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପ୍ରିୟଙ୍କା ତ୍ରିବେୱାଲକୁ ୫୮ ହଜାର ୮୩୨ ଖଣ୍ଡ ଭୋଟରେ ହରାଇଦେଇଛନ୍ତି । ମମତାଙ୍କୁ ୮୪ ହଜାର ୭୦୯ ଭୋଟ୍ ମିଳିଥିବା ବେଳେ ପ୍ରିୟଙ୍କାଙ୍କୁ ୨୬ ହଜାର ୩୨୦ ଭୋଟ ମିଳିଛି । ନିର୍ବାଚନ ଜିତିବା ପରେ ଭବାନୀପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମମତା ।

ଭବାନୀପୁର ଉପନିର୍ବାଚନରେ ମମତା ଜିତିବେ ବୋଲି ଆକଳନ କରାଯାଉଥିଲା, ହେଲେ ଅନୁମାନ କରାଯାଉଥିଲା ଯେ, ବିଜେପି କଡ଼ା ଟକ୍କର ଦେବ । ହେଲେ ଭବାନୀପୁରରେ ମମତାଙ୍କ ଲୋକପ୍ରିୟତା ଆଗରେ ଫିକା ପଡ଼ିଯାଇଛି ଗେରୁଆ ରଙ୍ଗ । ଏପରିକି ୨୦୧୧ ଅପେକ୍ଷା ଏଥର ଟିଏମସି ପ୍ରଦର୍ଶନ ଭଲ ରହିଛି । ସେପଟେ ପରାଜୟ ସ୍ୱୀକାର କରିବା ସହ ମମତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ଧୂଳି ଚଟାଇ ଗାଦି ଦଖଲ କରିଥିଲା ଟିଏମସି । ହେଲେ ନିଜ ପାରମ୍ପରିକ ଆସନ ଭବାନୀପୁର ଛାଡ଼ି ନନ୍ଦୀଗ୍ରାମରୁ ଲଢିଥିବା ମମତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା । ପୂର୍ବତନ ସହଯୋଗୀ ତଥା ବିଜେପିର ଟାଣୁଆ ନେତା ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମରେ ମମତାଙ୍କ ବିଜୟର ରଥକୁ ଅଟକାଇ ଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଉପନିର୍ବାଚନରେ ବିଜୟ ମମତାଙ୍କ ପାଇଁ ଜରୁରୀ ହୋଇପଡ଼ିଥିଲା ।