ନନ୍ଦିଗ୍ରାମ ଆସନରୁ ବିଜୟୀ ହେଲେ ମମତା ବାନାର୍ଜୀ । ୧୨୦୦ ଭୋଟରେ ଜିତିଲେ ଦିଦି । ପରାଜୟ ଭୋଗିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ।

741

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନର ଭୋଟ୍ ଗଣତି ଭିତରେ ଯେଉଁ ଆସନ ଉପରେ ସମସ୍ତଙ୍କର ନଜର ଥିଲା, ତା’ର ରେଜଲ୍ଟ ଏବେ ଘୋଷଣା ହୋଇଛି । ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି ତୃଣମୂଳ ନେତ୍ରୀ ମମତା ବାନାର୍ଜୀ । ନିଜର ବିରୋଧୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟକ୍କର ଦେଇ ମମତା ନନ୍ଦିଗ୍ରାମ ଆସନରୁ ବାଜିମାତ୍ କରିଛନ୍ତି । ଯାହା ଫଳରେ ଟିଏମସି ଶିବିରରେ ଉତ୍ସାହର ଲହର ଖେଳିଯାଇଛି ।

ଆଜି ସକାଳୁ ଯେତେବେଳେ ଭୋଟ ଗଣତି ଆରମ୍ଭ ହୋଇଥିଲା, ସେତେବେଳେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ଟକ୍କର ଦେବା ସହିତ ଆଗରେ ରହି ବିଜେପି ଶିବିରରେ ଉତ୍ସାହ ଭରିଥିଲେ । ହେଲେ କିଛି ଘଂଟା ପରେ ପୁଣି ଦିଦି ଆଗରେ ରହିବା ସହିତ ଆଗକୁ ବଢିଥିଲେ । ଶେଷରେ ମମତା ନନ୍ଦିଗ୍ରାମ ଆସନରୁ ବାଜିମାତ୍ କରିବା ସହିତ ୧୨୦୦ ଭୋଟରେ ଆଗରେ ରହି ବିଜୟୀ ହୋଇଛନ୍ତି ।

ଚଳିତ ଥରର ନିର୍ବାଚନ ମମତାଙ୍କ ପାଇଁ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ସେ ତାଙ୍କ ପାରମ୍ପରିକ ଆସନକୁ ଛାଡି ନନ୍ଦିଗ୍ରାମରୁ ଲଢିଥିଲେ । ଯେଉଁଠି  ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରି ସଫଳତା ପାଇବାକୁ ଆଶା ବାନ୍ଧିଥିଲା । ମମତା ଏଠାରୁ ଛିଡା ହେବା ପରେ ଶୁଭେନ୍ଦୁ-ମମତାଙ୍କ ଭିତରେ ଜୋରଦାର ଟକ୍କର ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ପ୍ରଚାର ବେଳେ ଦୁଇ ନେତାଙ୍କ ଉପରେ ଆକ୍ରମଣ ହେବା ଭଳି ମଧ୍ୟ ଅଭିଯୋଗ ଆସିଥିଲା । ହେଲେ ସବୁ ପରେ ଆଜି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହିତ ମମତା ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି ।