ମମତାଙ୍କ ମହାବିଜୟ । ଭବାନୀପୁରରେ ବାଜି ମାରିନେଲେ ଦିଦି, ପରାଜିତ ହେଲା ବିଜେପି ।

175

କନକ ବ୍ୟୁରୋ : ମମତାଙ୍କ ମହାବିଜୟ । ଭବାନୀପୁର ଉପ-ନିର୍ବାଚନରେ ବଡ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ମାତ୍ ଦେଇଛନ୍ତି ମମତା । ଭବାନୀପୁରବାସୀଙ୍କ ଭରସାର ଭୋଟ ପାଇଁ ମମତା କେବଳ ଏହି ନିର୍ବାଚନ ଜିତିନାହାନ୍ତି ବରଂ ନିଜ ରେକର୍ଡ ଭାଙ୍ଗିଛନ୍ତି । ୨୧ ରାଉଣ୍ଡର ଗଣତି ପରେ ମମତା ବିଜୟୀ ହୋଇଛନ୍ତି । ଆନୁଷ୍ଠନିକ ଭାବେ କୌଣସି ଘୋଷଣା ହୋଇନଥିଲେ ମଧ୍ୟ ମମତାଙ୍କ ବିଜୟୀ ହୋଇଥିବା ସ୍ପଷ୍ଟ ହୋଇଛି ।

ଗତ ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଥିଲେ । ମମତାଙ୍କ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନ ଯାଇଥିଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା । କାରଣ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନଥାଇ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିଥାଏ । ନଚେତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାଏ । ଯେହେତୁ ମମତା ନନ୍ଦୀଗ୍ରାମ ଆସନରୁ ପରାଜିତ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଛନ୍ତି ତେଣୁ ଭବାନୀପୁର ଆସନରେ ବିଜୟୀ ହେବା ତାଙ୍କ ପାଇଁ ଜରୁରୀ ହୋଇ ପଡିଥିଲା ।