ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଉ କୋଲ୍କାତାରେ ନିର୍ବାଚନ ପ୍ରଚାର ଅଭିଯାନ ଚଳାଇବେ ନାହିଁ ବୋଲି ରବିବାର ରାତିରେ ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଟିଏମ୍ସି) ନେତା ଡେରେକ୍ ଓ’ବ୍ରାଏନ୍ ଟୁଇଟ୍ କରି କହିଛନ୍ତି ।
ରାଜ୍ୟରେ ବର୍ଦ୍ଧିଷ୍ଣୁ କୋଭିଡ୍-୧୯ ସଂକ୍ରମଣ ବାତାବରଣରେ ‘ଟିଏମ୍ସି’ ମୁଖ୍ୟ ସହରରେ ପ୍ରଚାରର ଶେଷ ଦିବସ ଏପ୍ରିଲ୍ ୨୬ ତାରିଖ ଦିନ ଗୋଟିଏ ମାତ୍ର ‘ପ୍ରତୀକାତ୍ମକ’ ସଭା କରିବେ ବୋଲି ଓ’ବ୍ରାଏନ୍ କହିଛନ୍ତି । ଏହା ବ୍ୟତିରେକେ, ରାଜ୍ୟର ସମସ୍ତ ଜିଲ୍ଲାରେ ବାନାର୍ଜୀ କରୁଥିବା ନିର୍ବାଚନ ରାଲିଗୁଡ଼ିକ ମଧ୍ୟ ଏବେ ଆଉ ୩୦ ମିନିଟ୍ରୁ ଅଧିକ ହେବନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ଯୋଗୁଁ ପଶ୍ଚିମବଙ୍ଗରେ ତାଙ୍କ ନିର୍ଦ୍ଧାରିତ ସମସ୍ତ ନିର୍ବାଚନୀ ରାଲି ବାତିଲ୍ କରାଯାଇଥିବା କଥା ରବିବାର ଦିନ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ମଧ୍ୟ କହିଥିଲେ । ଲୋକମାନଙ୍କୁ କୋଭିଡ୍-୧୯ ସଂକ୍ରମଣ ବାତାବରଣରୁ ନିରାପଦ ରଖିବା ପାଇଁ ବଙ୍ଗରେ ବାକି ଥିବା ଆଉ ତିନୋଟି ପର୍ଯ୍ୟାୟ ନିର୍ବାଚନକୁ ଥରକରେ ଶେଷ କରି ଦେବା ଲାଗି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିସନ୍କୁ ନିବେଦନ କରିଥିଲେ । କିନ୍ତୁ, ଏହି ପ୍ରସ୍ତାବକୁ ବିରୋଧ କରି ‘ବିଜେପି’ ନିର୍ବାଚନ କମିସନ୍କୁ ପତ୍ର ଲେଖିଛି । ସମସ୍ତ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ସମାନ ସୁଯୋଗ ଦେବା ଲାଗି ମୂଳ ସମୟ-ସୂଚୀ ଅନୁସାରେ ନିର୍ବାଚନ ହେବା ଉଚିତ ବୋଲି ‘ବିଜେପି’ ଦାବି କରିଛି ।