କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ହାତରେ ଆଉ ଅଳ୍ପ ସମୟ । ଦେଶରେ ଶକ୍ତିଶାଳୀ ଦଳ ତଥା ଶାସକ ଦଳ ବିଜେପିକୁ ଟକ୍କର ଦେବା ପାଇଁ ଇଣ୍ଡିଆ ମେଂଟ ଜୋରଦାର ପ୍ରସ୍ତୁତି ଚଳାଇଛି । ଆଜି ମେଂଟର ବୈଠକ ଅଛି । ଏହି ବୈଠକ ପୂର୍ବରୁ କିନ୍ତୁ ଜଣାପଡିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ବୈଠକରୁ ଓହରି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆଜି ହେବାକୁ ଥିବା ଭର୍ଚୁଆଲ୍ ବୈଠକରେ ସେ ଯୋଗ ଦେବେ ନାହିଁ । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଇଣ୍ଡିଆ ଆଲାଏନ୍ସର ବୈଠକ ବସିବ । ଏହି ବୈଠକରେ ୧୪ଟି ଦଳର ନେତା ଏକାଠି ହେବେ । ଏହି ବୈଠକରେ ଆବାହକଙ୍କ ନାମ, ଆସନ ବୁଝାମଣା ଉପରେ ଆଲୋଚନା ହେବ । କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଦେଇଛନ୍ତି । ଏହି ବୈଠକରେ ସେମାନେ ଆସନ ବୁଝାମଣା, ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ।
ୟୁପି-ବିହାରଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଆସନ ବୁଝାମଣାକୁ ନେଇ ବିବାଦ ଲାଗି ରହିଛି । ଏହି ସମସ୍ୟାର ସମାଧାନ ପାଇଁ ଏହି ବୈଠକ ଡକାଯାଇଛି । ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେବାକୁ ମନା କରିଦେଇଛନ୍ତି । ପଶ୍ଚିମବଙ୍ଗରେ କଂଗ୍ରେସ ୮ରୁ ୧୦ଟି ଆସନ ଦାବି କରୁଥିବା ବେଳେ ଟିଏମସି କଂଗ୍ରେସକୁ ୨ରୁ ଅଧିକ ଆସନ ଦେବାକୁ ଚାହୁଁନାହିଁ । ଏହାକୁ ନେଇ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ବିବାଦ ଦେଖାଦେଇଛି ।