ଡାକ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଲା ବିଜେପି-ମମତା ଲଢ଼େଇ : ପରସ୍ପରକୁ ପୋଷ୍ଟକାର୍ଡ ପଠାଇବା ଯୁଦ୍ଧରେ ପେସି ହେଉଛି ବିଚରା ଡାକ ବିଭାଗ

287

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ମଧ୍ୟରେ ଚାଲିଥିବା ରାଜନୈତିକ ଯୁଦ୍ଧ ଡାକ ବିଭାଗ ପାଇଁ ସଂକଟ ସ୍ଥିତି ସୃଷ୍ଟି କରିଛି । ଗତ କିଛି ଦିନ ହେବ ଦକ୍ଷିଣ କୋଲକାତାରେ ଥିବା କାଲୀଘାଟ ପୋଷ୍ଟ ଅଫିସରେ ହଜାର ହଜାର ପୋଷ୍ଟକାର୍ଡର ଲାଇନ୍ ଲାଗିଛି । ଏହି ପୋଷ୍ଟ କାର୍ଡରେ ଜୟ ଶ୍ରୀରାମ ଲେଖାଯାଇଛି ଏବଂ ଏହା ମମତାଙ୍କୁ ପଠାଯାଇଛି ।

ପୋଷ୍ଟ ଅଫିସ ସୂତ୍ର ମୁତାବକ, ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରତିଦିନ ୩୦ରୁ ୪୦ ପୋଷ୍ଟକାର୍ଡ ଆସୁଥିଲା। କିନ୍ତୁ ଏବେ ହଠାତ୍ ପୋଷ୍ଟକାର୍ଡ ସଂଖ୍ୟା ବଢ଼ିଯାଇଛି । ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ କାଲୀଘାଟ ପୋଷ୍ଟ ଅଫିସ ତାଙ୍କ ପାଇଁ ଜଣେ ପୋଷ୍ଟମ୍ୟାନ ଯୋଗେଇ ଦେଇଛନ୍ତି । ଏନେଇ ଜଣେ କର୍ମଚାରୀ କହିଛନ୍ତି କି, ପୋଷ୍ଟମ୍ୟାନ ପ୍ରତିଦିନ ପୋଷ୍ଟକାର୍ଡ ନେଇଯାଏ ଏବଂ ଏହାକୁ ନିର୍ଦ୍ଧାରିତ ବ୍ୟକ୍ତିଙ୍କୁ ଦେଇଆସେ । ତେବେ ସର୍ବଦା ଶାନ୍ତିପୂର୍ଣ୍ଣ ରହୁଥିବା ଏହି ପୋଷ୍ଟ ଅଫିସ୍ ଜୟ ଶ୍ରୀରାମ ପୋଷ୍ଟ କାର୍ଡର ଗହଳି ପାଇଁ ନିଜକୁ ପ୍ରସ୍ତୁତ କରିଦେଇଛି ।

କେବଳ ସେତିକି ନୁହେଁ ମେଲ ସର୍ଭିସ୍ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପଠାଯାଇଥିବା ପାଖାପାଖି ୪୫୦୦ ପୋଷ୍ଟକାର୍ଡ ଚିହ୍ନଟ କରିଛି । ଅନ୍ୟ ପକ୍ଷରେ ଟିଏମସି ଏହାକୁ ନେଇ ଏବେ ଅସନ୍ତୋଷ ରହିଛି । କାର୍ଯ୍ୟକର୍ତ୍ତାମାନେ ପୋଷ୍ଟକାର୍ଡର ଜବାବ ଦେବା ଆରମ୍ଭ କରିଦେଲେଣି । ଟିଏମସି ଜୟ ଶ୍ରୀରାମ ସ୍ଥାନରେ ଜୟ ହିନ୍ଦ, ଜୟ ବାଙ୍ଗଲା ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୋଷ୍ଟକାର୍ଡ ପଠାଇବା ଆରମ୍ଭ କରିଦେଲେଣି ।