ଉତ୍ତର ପ୍ରଦେଶ ନିର୍ବାଚନରେ ଦେଖିବାକୁ ମିଳିବ ବିରଳ ଚିତ୍ର, ଅଖିଳେଶଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ମମତା

231

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମୈଦାନରେ ବି ବିରଳ ଚିତ୍ରମାନ ଦେଖିବାକୁ ମିଳୁଛି । ଗତକାଲି ପର୍ଯ୍ୟନ୍ତ ଯେଉଁମାନେ ବିଜେପି ପାଇଁ ପ୍ରଚାର କରୁଥିଲେ ସେମାନଙ୍କ ମଧ୍ୟରୁ ଅନେକ ନେତା ଆଜି ସପା ପାଇଁ ପ୍ରଚାର କରୁଛନ୍ତି । ସେହିଭଳି ସପାର କିଛି ନେତା ବି ବିଜେପିରେ ଯୋଗ ଦେଇ ବିଜେପି ପାଇଁ ପ୍ରଚାର ମୈଦାନକୁ ଉହ୍ଲାଇଛନ୍ତି । ଏ ହେଉଛି ସେହି ରାଜ୍ୟର ରାଜନୀତି । ହେଲେ ପ୍ରଥମଥର ପାଇଁ ଅଲଗା ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ଉତ୍ତର ପ୍ରଦେଶ ନିର୍ବାଚନ ମୈଦାନକୁ ଉହ୍ଲାଉଛନ୍ତି । ଏହା ସ୍ୱାଭାବିକ କଥା ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ଜଣଙ୍କ ନିଜ ଦଳପାଇଁ ନୁହେଁ ବରଂ ଅନ୍ୟଏକ ଦଳ ପାଇଁ ଭୋଟ ମାଗିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶ ।

ସୂଚନା ମୁତାବକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫେବୃଆରୀ ୮ ତାରିଖରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ପାଇଁ ପ୍ରଚାର କରିବେ ଓ ଲୋକଙ୍କୁ ଭୋଟ ମାଗିବେ ବୋଲି ଜଣାପଡିଛି । ଏହି ନିର୍ବାଚନୀ ପ୍ରଚାର ଭର୍ଚୁଆଲ ମାଧ୍ୟମରେ ହେବ ବୋଲି କୁହାଯାଇଛି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ରରେ ବି ଭର୍ଚୁଆଲ ପ୍ରଚାର କରିବେ ମମତା ।

କହିରଖୁ କି ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୭ ଟି ପର୍ଯ୍ୟାୟରେ ମତଦାନ ହେବ ପ୍ରଥମ ପର୍ଯ୍ୟାୟ ମତଦାନ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେଉଥିବା ବେଳେ ମମତାଙ୍କ ପ୍ରଚାର ଅଖିଳେଶଙ୍କ ପାଇଁ କେତେ ଲାଭଦେବ ତାହା ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ଘୋଷଣା ପରେ ଜଣାପଡିବ ।