ମମତାଙ୍କ ଅନ୍ଧବିଶ୍ୱାସ : କେବଳ ଶୁକ୍ରବାର ହିଁ ଘୋଷଣା କରନ୍ତି ପ୍ରାର୍ଥୀ ତାଲିକା; ୨୦୧୧ ଓ ୨୦୧୬ ରେ ମିଳିଥିଲା ସଫଳତା

କାଲିଘାଟର ଛୋଟିଆ କୋଠରୀରେ କରନ୍ତି ପ୍ରାର୍ଥୀ ଘୋଷଣା, ୨୦୧୯ରେ ବ୍ୟତିକ୍ରମ ଯୋଗୁଁ ବିଜେପିକୁ ମିଳିଥିଲା ସଫଳତା

245

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନ୍ଧବିଶ୍ୱାସକୁ ନେଇ ଏବେ ଚର୍ଚ୍ଚା । କୁହାଯାଉଛି ଶୁକ୍ରବାରକୁ ବେଶ ଶୁଭ ବୋଲି ବିଚାର କରନ୍ତି ମମତା । ଆଉ ସେଥିପାଇଁ ଶୁକ୍ରବାର ହିଁ ଘୋଷଣା କରନ୍ତି ପ୍ରାର୍ଥୀ ତାଲିକା । ସେହି କ୍ରମରେ ଆଗାମୀ ବିଧାନସଭା ପାଇଁ ଗତକାଲି ଦଳର ୨୯୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ । କାଲି ଥିଲା ଶୁକ୍ରବାର । ମମତାଙ୍କ ବିଶ୍ୱାସ ହେଲା ଶୁକ୍ରବାର ପ୍ରାର୍ଥୀ ଘୋଷଣା କଲେ ବିଜୟୀ ହେବ ତାଙ୍କ ଦଳ । ୨୦୧୧ ଓ ୨୦୧୬ରେ ମଧ୍ୟ ସେହି ଶୁକ୍ରବାରରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ଟିଏମସି ମୁଖ୍ୟ ।

ସେହିପରି କାଲିଘାଟରେ ଥିବା ଏକ ଛୋଟିଆ କୋଠରୀରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟବାସୀଙ୍କ ଆଗରେ ଏହି ପ୍ରାର୍ଥୀ ତାଲିକା ରଖିଥାନ୍ତି ମମତା । କୁହାଯାଉଛି ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ଅପେକ୍ଷାକୃତ ବଡ କୋଠରୀରେ ସାମ୍ବାଦିକ ସମ୍ମିଳନୀ କରିବା ସହ ଶୁକ୍ରବାର ପରିବର୍ତେ ରବିବାର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ । ଯେଉଁଥିପାଇଁ ପଶ୍ଚିମବଙ୍ଗ ଲୋକସଭାର ୪୨ଟି ଆସନରୁ ୧୮ଟିରେ ବାଜି ମାରିନେଲା ବିଜେପି । ସେହି ଭୟରେ ଏବେ ପୁଣି ମମତା ଶୁଭ ଶୁକ୍ରବାରକୁ ଆଶ୍ରା କରିଛନ୍ତି ।