ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେବେ ମମତା ବାନାର୍ଜୀ । ସକାଳ ୧୦ଟା ୪୫ରେ ରାଜଭବନ ଟାଉନ ହଲରେ ଶପଥ ଗ୍ରହଣ ସମାରୋହ

201

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଲଗାତାର ତୃଣମୂଳ କଂଗ୍ରେସର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ମମତା ବାନାର୍ଜୀ । ଆଜି ପୂର୍ବାହ୍ନ ୧୦ଟା ୪୫ ମିନିଟରେ ରାଜଭବନ ଟାଉନ ହଲରେ ଶପଥ ଗ୍ରହଣ ସମାରୋହ । ଏହାପରି ମମତା ବାନାର୍ଜୀ ସଚିବାଳୟ ଯିବେ । ଆସନ୍ତକାଲି କିମ୍ବା ଶୁକ୍ରବାର ଅନ୍ୟ ବିଧାୟକମାନେ ଶପଥ ନେବେ ବୋଲି ଜଣାପଡିଛି ।
ଶପଥ ସମାରୋହରେ ସାମିଲ ହେବେ ଟିଏମସି ରଣନୀତିକାର ପ୍ରଶାନ୍ତ କିଶୋର ଓ ଟିଏମସି ନେତା । ସେହିପରି କ୍ରିକେଟର ସୌରଭ ଗାଙ୍ଗୁଲି, ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ବାମ ମୋର୍ଚାର ବିମାନ ବୋଷ, ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କୁ ଶପଥ ପାଠ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି । ତୃଣମୂଳ କଂଗ୍ରେସ ୨୦୧୬ ତୁଳନାରେ ୨୦୨୧ରେ ଭଲ ପ୍ରଦର୍ଶନ କରି ମ୍ୟାଜିକ ନଂବର ଠାରୁ ଅଧିକ ଆସନ ଅକ୍ତିଆର କରିଛି । କିନ୍ତୁ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଯାଇଛନ୍ତି । ବିଧାୟକ ନହୋଇ ମମତା ମୁଖ୍ୟମନ୍ତ୍ରୀ ହେଉଥିବାରୁ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଆସନ୍ତା ୬ ମାସରେ ବିଧାୟକ ନିର୍ବାଚନ ଜିତିବାକୁ ହେବ ।