କନକ ବ୍ୟୁରୋ : ପଶ୍ଚିମବଙ୍ଗର ବୋଲପୁରରେ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ସହରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଜୟ ପରେଡର ଠିକ୍ ଗୋଟିଏ ସପ୍ତାହ ପରେ ଆଜି ଏକ ପ୍ରତିକ୍ରିୟା ରାଲିର ଆୟୋଜନ କରିଥିଲେ ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପ୍ରତିଯୋଗୀତା ଅଭିଯାନ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ଖୁବ୍ ବର୍ଷିଥିଲେ।
୧୦ ଦିନ ପୂର୍ବେ ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀଙ୍କ ସମେତ କିଛି ବିଧାୟକ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ଏହି ଘଟଣାରେ ଉତକ୍ଷିପ୍ତ ହୋଇ ପଡ଼ିଥିବା ମମତା ବାନାର୍ଜୀ ବିଜେପିର ବରିଷ୍ଠ ନେତା ଅମିତ ଶାହାଙ୍କୁ ଆହ୍ଵାନ ଦେବାକୁ ଯାଇ କହିଥିଲେ, ‘ତୁମେ କିଛି ବିଧାୟକଙ୍କୁ କିଣି ପାରିବ, କିନ୍ତୁ ତୃଣମୂଳ କଂଗ୍ରେସକୁ ନୁହେଁ’। ବିଜେପିକୁ ବାହାର ଲୋକମାନଙ୍କର ଦଳ ବୋଲି କହି ମମତା ବାନାର୍ଜୀ କହିଥିଲେ ଯେ ରବୀନ୍ଦ୍ରନାଥ ଟାଗୋରଙ୍କ ରାଜ୍ୟ ଘୃଣା ରାଜନୀତି ଓ ଧର୍ମନିରପେକ୍ଷତା ଉପରେ କେବେ କାହାରିକି ଜିତିବାକୁ ଦେଇ ନାହିଁ କି ଭବିଷ୍ୟତରେ ମଧ୍ୟ ଦେବ ନାହିଁ।
ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପଶ୍ଚିମବଙ୍ଗରେ ଘୃଣା ରାଜନୀତି ସହ ଯୋଡ଼ତୋଡ଼ ରାଜନୀତି ଆରମ୍ଭ କରି ବଙ୍ଗଳାର ମେରୁଦଣ୍ଡ ଭାଙ୍ଗିବାକୁ ଅପଚେଷ୍ଟା ଚଳାଇଥିବା ସେ ଅଭିଯୋଗ କରଥିଲେ। ରବୀନ୍ଦ୍ରନାଥ ଟାଗୋର ଯେଉଁ ରାଜ୍ୟକୁ ‘ସୋନାର ବଙ୍ଗଳା’ ବୋଲି ବର୍ଣ୍ଣନା କରିଥିଲେ, ସେହି ରାଜ୍ୟରେ ଏପରି ଜିନିଷ ବିଜୟୀ ହୋଇପାରିବ ନାହିଁ ବୋଲି ସେ କହିଥିଲେ।
Follow Us