ପଶ୍ଚିମବଙ୍ଗରେ ପୁଣି ଚାଲିବ ଦିଦିଗିରି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜି ।

191

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ପୁଣି ଚାଲିବ ଦିଦିଗିରି । ଆରମ୍ଭ ହେଲା ମମତାଙ୍କ ତୃତୀୟ ଇନିଂସ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମମତା । ବିଜେପିକୁ ବଡ଼ ଧରଣର ମାତ୍ ଦେଇଥିବା ମମତା ବାନାର୍ଜୀଙ୍କ ନୂଆ ଇନିଂସ ଆରମ୍ଭ ହୋଇଯାଇଛି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ । ରାଜଭବନ ଟାଉନ ହଲରେ ଏକ ନିରାଡମ୍ବର ଶପଥ ଗ୍ରହଣ ଉତ୍ସବରେ ଶପଥ ନେଇଛନ୍ତି ମମତା । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ବିଜେପିର ସବୁ ପ୍ରକାର ଚେଷ୍ଟାକୁ ବିଫଳ କରି ଟିଏମସି ନିର୍ବାଚନ ଜିତିବା ପରେ ଦୁଇଦିନ ତଳେ ମମତାଙ୍କୁ ଦଳର ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା । ଏହାପରେ ସେ ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଗୁରବାର କିମ୍ବା ଶୁକ୍ରବାର ଅନ୍ୟ ବିଧାୟକମାନେ ଶପଥ ନେବେ ବୋଲି ଜଣାପଡିଛି ।

ତୃଣମୂଳ କଂଗ୍ରେସ ୨୦୧୬ ତୁଳନାରେ ୨୦୨୧ରେ ଭଲ ପ୍ରଦର୍ଶନ କରି ମ୍ୟାଜିକ ନମ୍ବର ଠାରୁ ଅଧିକ ଆସନରେ ବିଜୟୀ ହୋଇଛି । ମୋଟ୍ ୨୧୩ଟି ଆସନରେ ବିଜୟୀ ହୋଇଛି ତୃଣମୂଳ କଂଗ୍ରେସ । ଶପଥଗ୍ରହଣ ଉତ୍ସବ ପରେ ରାଜ୍ୟରେ ଦେଖାଦେଇଥିବା ହିଂସାକାଣ୍ଡ ରୋକିବାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ମମତା ପ୍ରତିଶ୍ରୁତି ଦେଇଛନ୍ତି ।

ବିଜେପିକୁ ହରାଇ ତୃଣମୂଳ କଂଗ୍ରେସ ବଡ଼ ବିଜୟ ହାସଲ କରିଥିଲେ ମଧ୍ୟ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଯାଇଛନ୍ତି । ବିଧାୟକ ନହୋଇ ମଧ୍ୟ ମମତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଆସନ୍ତା ୬ ମାସ ମଧ୍ୟରେ ତାଙ୍କୁ ବିଧାୟକ ଭାବେ ନିର୍ବାଚନ ଜିତିବାକୁ ହେବ ।