I.N.D.I.A. ମେଣ୍ଟକୁ ବଡ ଝଟକା । ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କଲେ ମମତା ଦିଦି । 

167

କନକ ବ୍ୟୁରୋ: ଇଣ୍ଡିଆ ମେଣ୍ଟକୁ ଲାଗିଲା ବଡ ଝଟକା । କାରଣ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢିବାକୁ ଘୋଷଣା କଲେ ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଆସନ ବଣ୍ଟନ ପ୍ରକ୍ରିୟାରେ ନିୟୋଜିତ ଥିବା ‘ଭାରତ’ ମେଣ୍ଟର କାର୍ଯ୍ୟକୁ ସେ ନାପସନ୍ଦ କରିଛନ୍ତି ।  ଏକାକୀ ଲୋକସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ସମୟରେ ସେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ।

କଂଗ୍ରେସକୁ ଟାର୍ଗେଟ କରି ମମତା ବାନାର୍ଜୀ କହିଛନ୍ତି ଯେ , ଟିଏମସି ଯାହା ପ୍ରସ୍ତାବ ଦେଲା ତାକୁ ଆଦୌ ବିଚାର କରାଗଲା ନାହିଁ । ଏହାବ୍ୟତୀତ ରାହୁଲ ଗାନ୍ଧୀଙ୍କ ନାଁ ନନେଇ ପରୋକ୍ଷରେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ  ନ୍ୟାୟ ଯାତ୍ରା ହେବାକୁ ଥିବାବେଳେ ତାଙ୍କ ପାଖରେ କୌଣସି ଖବର ନାହିଁ କି ତାଙ୍କୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ । ତେଣୁ ମେଣ୍ଟରେ ସେ ସମ୍ପୃକ୍ତ ଥାଇ ବି କିଛି ଲାଭ ନାହିଁ । ତେଣୁ ସେ ଏଥିରୁ ଦୂରତା ରକ୍ଷା କରିବାକୁ ଚାହୁଁଥିବା କହିଛନ୍ତି ।

ଗତ କିଛି ଦିନ ଧରି ଟିଏମସି ଓ କଂଗ୍ରେସ ମଧ୍ୟରେ ଯେଉଁଭଳି ବିବାଦ ଚାଲିଥିଲା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ଲୋକସଭା ନିର୍ବାଚନରେ ‘ଏକଲା ଚଲୋ ରେ’ ନୀତି ଗ୍ରହଣ କରିବେ ବୋଲି ସଙ୍କେତ ମିଳିଥିଲା। ଏବେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଆସନରେ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ପାଖାପାଖି ନିଶ୍ଚିତ ହୋଇଛି ।