ପ୍ରଧାନମନ୍ତ୍ରୀଙ୍କ ସହ ବୈଠକକୁ ନେଇ ବିବାଦ ପରେ ମୁହଁ ଖୋଲିଲେ ମମତା । କହିଲେ ଜାଣିଶୁଣି ମୋତେ ଅପମାନିତ କରିବାକୁ କରାଯାଇଛି ଚେଷ୍ଟା

1,086

କନକ ବ୍ୟୁରୋ: ଗତକାଲିର ବୈଠକକୁ ନେଇ ବିବାଦ ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଛନ୍ତି ଜାଣିଶୁଣି ତାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ଛବିକୁ ଖରାପ କରିବା ପାଇଁ ଚେଷ୍ଟା କରାଯାଉଛି । ଏହାସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ରାଜ୍ୟପାଳ ଓ ବିଜେପି ନେତାଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ ।

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ଡାକରା ହୋଇଛି । ଏ ସଂପର୍କରେ କିନ୍ତୁ ମୁହଁ ଖୋଲି ନାହାନ୍ତି ମମତା । ପଶ୍ଚିମବଙ୍ଗ ନିର୍ବାଚନର ପ୍ରାୟ ଏକ ମାସ ପରେ ଗତକାଲି ପ୍ରଥମ ଥର ପାଇଁ ମୁହାଁମୁହିଁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାତ୍ୟା ୟାସର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବା ପରେ ପ୍ରଧାନମନ୍ତ୍ରୀ କଲାଇକୁଣ୍ଡାରେ ସମୀକ୍ଷା ବୈଠକ କରିଥିଲେ । ପୂର୍ବରୁ ରାଜ୍ୟପାଳ ଜଗଦୀପ ଧନଖଡ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିବା ବେଳେ ମମତା ବାନାର୍ଜୀ ପ୍ରାୟ ଅଧଘଂଟା ଡେରିରେ ପହଂଚିଥିଲେ । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ମଧ୍ୟ ଡେରିରେ ପହଂଚିଥିଲେ । ପରେ ବାତ୍ୟା କ୍ଷୟକ୍ଷତିର ଏକ ଦସ୍ତାବିଜ ପ୍ରଧାନମନ୍ତ୍ରୀଙ୍କୁ ଦେଇ ବୈଠକରୁ ଚାଲିଯାଇଥିଲେ ମମତା ବାନାର୍ଜୀ ।