କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନ ମହାଯୁଦ୍ଧକୁ ନୂଆ ଅବତାରରେ ମମତା । ଆଜି ହୁଇଲ ଚେୟାରରେ କୋଲକାତାରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଆହତ ହେବା ପରେ ପରେ ଏହି ସମୟକୁ ଅପେକ୍ଷା କରି ରହିଥିଲେ ଟିଏମସି କର୍ମୀ । କୋଲକାତାରେ ପ୍ରାୟ ୫ କିଲୋମିଟର ବାଟ ରାଲି କରିଛନ୍ତି ମମତା ଆଉ ତାଙ୍କ ସାଥୀରେ ରହିଛନ୍ତି ଶହଶହ ଟିଏମସି କର୍ମୀ ।
ଗତକାଲି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଥିଲେ , ମମତାଙ୍କ ଉପରେ ନନ୍ଦିଗ୍ରାମର ବୁରୁଲିଆ ଗାଁରେ ଆକ୍ରମଣର କୌଣସି ପ୍ରମାଣ ମିଳିପାରିନି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ୨ ଜଣିଆ ବିଶେଷ ପର୍ଯ୍ୟବେକ୍ଷକ ଦଳ ଏବଂ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ପରେ ଏହି ସୂଚନା ଦେଇଥିଲେ ରାଜ୍ୟ ନିର୍ବାଚନ । ଏହାରି ଭିତରେ ମମତା ଆଜି କୋଲକାତାରେ ହୁଇଲ୍ ଚେୟାରରେ ପ୍ରଚାର ମୈଦାନକୁ ଓହ୍ଲାଇ କର୍ମୀ ଓ ନେତାଙ୍କ ମଧ୍ୟରେ ଜୋସ୍ ଭରିଛନ୍ତି ।
ସେପଟେ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆଜି ଠାରୁ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା ରହିଛନ୍ତି । ଆଜି କୋଲକାତାରେ ରୋଡ୍ ସୋ କରିଛନ୍ତି ମମତା । ଆସନ୍ତାକାଲି ଅର୍ଥାତ୍ ୧୫ ମାର୍ଚ୍ଚରେ ପୁରୁଲିଆ, ୧୬ ମାର୍ଚ୍ଚରେ ବାଙ୍କୁରା ଏବଂ ୧୭ ମାର୍ଚ୍ଚରେ ଝାରଗ୍ରାମରେ ହୁଇଲ ଚେୟାରରେ ମମତା ରାଲି କରି ଦଳ ପାଇଁ ପ୍ରଚାର କରିବେ ବୋଲି ସୂଚନା ମିଳିଛି । ଏସବୁ ଭିତରେ ମମତାଙ୍କ ହୁଇଲ ଚେୟାରରେ ପ୍ରଚାର, ପଶ୍ଚିମବଙ୍ଗ ନିର୍ବାଚନ ମୈଦାନକୁ ସରଗରମ୍ କରିଛି ।