ଦବଙ୍ଗ ଦିଦିଙ୍କ ରାଜନୈତିକ କ୍ୟାରିୟର ! ପାଠପଢା ସମୟରୁ ହିଁ ରାଜନୀତିରେ କରିଥିଲେ ଏଣ୍ଟ୍ରି, ଜାଣନ୍ତୁ ମମତା ବାନାର୍ଜିଙ୍କ ସଂଘର୍ଷର ଯାତ୍ରା ।

349

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବେ ଚର୍ଚ୍ଚାରେ ରହିଛନ୍ତି । ଗତକାଲି କୋଲକାତାରେ ସିବିଆଇ ଏବଂ ପୋଲିସ ମଧ୍ୟରେ ଯେଉଁ ହାଇଡ୍ରାମା ଚାଲିଥିଲା, ତାକୁ ନେଇ କାଲି ରାତିରୁ ଧାରଣାରେ ବସି ରହିଛନ୍ତି ମମତା । ଏକ ପ୍ରକାର କହିବାକୁ ଗଲେ, କେନ୍ଦ୍ରର ମୋଦି ସରକାର, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ସିବିଆଇ ବିରୋଧରେ ଯୁଦ୍ଧ ଘୋଷଣା କରିସାରିଛନ୍ତି ଦିଦି । ତେବେ ଆସନ୍ତୁ ଜାଣିବା ଦବଙ୍ଗ ଦିଦି ମମତା ବାନାର୍ଜିଙ୍କ ରାଜନୈତିକ ଯାତ୍ରା ସହ ଯୋଡିହୋଇଥିବା କିଛି ଖାସ କଥା ।

୧୯୫୫ ମସିହା ଜାନୁଆରୀ ମାସ ୫ ତାରିଖରେ ଏକ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମମତା । ମମତାଙ୍କ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ତେବେ ମମତା ଅଳ୍ପ ବୟସରୁ ହିଁ ରାଜନୀରେ ଏଣ୍ଟ୍ରି କରିଥିଲେ । ଏପରିକି ପାଠ ପଢିବା ସମୟରେ ହିଁ ୧୯୭୦ ମସିହାରେ କଂଗ୍ରେସର ଛାତ୍ର ପରିଷଦ ସହ ଯୋଡି ହୋଇଥିଲେ । ଏହାପରେ ୧୯୭୯-୯୦ ପର୍ଯ୍ୟନ୍ତ ମମତା, ପଶ୍ଚିମବଙ୍ଗ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୮୯ରେ କଂଗ୍ରେସ ବିରୋଧୀ ହାୱା କାରଣରୁ ହାରିବା ପରେ ମମତା ୧୯୯୧ ମସିହାରେ ଦକ୍ଷିଣ କୋଲକାତାରୁ ଲୋକସଭା ନିର୍ବାଚନରେ ବିଜୟ ହୋଇଥିଲେ । ଆଉ ଏହା ପର ଠାରୁ ୧୯୯୬, ୧୯୯୮,୧୯୯୯,୨୦୦୪ ଏବଂ ୨୦୦୯ରେ ଏହି ଆସନରୁ ଜିତି ଆସୁଛନ୍ତି ମମତା ବାନାର୍ଜି ।

ତେବେ ୧୯୯୮ରେ କଂଗ୍ରେସରୁ ବାହାରି ତୃଣମୂଳ କଂଗ୍ରେସ ପାର୍ଟିର ସ୍ଥାପନା କରିଥିଲେ ମମତା । ୧୯୯୮ ଏବଂ ୧୯୯୯ରେ ମମତାଙ୍କ ଦଳ କ୍ରମଶଃ ୮ଟି ଏବଂ ୭ଟି ଲୋକସଭା ଆସନ ଜିତିବା ସହ ବିଜେପିକୁ ସମର୍ଥନ ଦେଇଥିଲା । ଅଟଳ ବିହାରି ବାଜପେୟୀଙ୍କ ସରକାର ସମୟରେ ୧୯୯୯ ମସିହାରେ ରେଳମନ୍ତ୍ରୀ ହୋଇଥିଲେ ମମତା । ତେବେ ପୁଣି ଥରେ ୨୦୦୧ ମସିହାରେ ସେ ଏନଡିଏ ଏବଂ ରେଳ ମନ୍ତ୍ରାଳୟ ଛାଡି କଂଗ୍ରେସ ସହ ମିଶି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେତେବେଳେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହା ପରେ ହୋଇଥିବା ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ୩୦ ଆସନ ମିଳିଥିଲା । ସିପିଆଇଏମ ବିରୋଧରେ କ୍ରମାଗତ ଭାବେ ଲଢିବା ସହ କେବେବି ପଛକୁ ଫେରି ନାହାନ୍ତି ମମତା । ଯେଉଁଥିପାଇଁ ୨୦୧୧ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବାରେ ସଫଳ ହୋଇଥିଲେ ମମତା ବାନାର୍ଜି ।