୧୯୭୦ ମସିହାରୁ ପଲିଟିକାଲ୍ କ୍ୟାରିଅର ଆରମ୍ଭ କରିଥିଲେ ମମତା । ଏବେ ତୃତୀୟ ଥର ପାଇଁ ବସିବେ ମୁଖ୍ୟମନ୍ତ୍ରୀ ଆସନରେ!

4,503

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ରାଜନୈତିକ ଗୋଟି ଚାଳନା କରି ପୁଣି ଶାସନ କ୍ଷମତା ଅକ୍ତିଆର କରିବାକୁ ଯାଉଛନ୍ତି ତୃଣମୂଳ ନେତ୍ରୀ ମମତା ବାନାର୍ଜୀ । ଆଉ ତୃତୀୟ ଥର ପାଇଁ ବସିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଆସନରେ । ଚଳିତଥରର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିଜୟ ଏକପ୍ରକାର ପକ୍କା ହେବା ଦେଖାଯାଉଥିବାବେଳେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଦିଦି ।

ଏଥର ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ସାମ୍ନାରେ ଅନେକ ରଥୀ ମହାରଥୀ ଥିଲେ ମଧ୍ୟ ଦିଦିଙ୍କ ଲହର ଆଗରେ ସବୁକିଛି ଫିକା ପଡିଛି, ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ପୁଣି କ୍ଷମତା ଅକ୍ତିଆର କରିବ ବୋଲି ପକ୍କା ହୋଇଛି । ତେବେ ଦିଦିଙ୍କ ଏହି ମହାବିଜୟ ପରେ ନଜର ପକାନ୍ତୁ ତାଙ୍କ ଦୀର୍ଘ ବର୍ଷର ରାଜନୈତିକ କ୍ୟାରିୟର ଉପରେ…

୧୯୭୦ ମସିହାରୁ ପଲିଟିକାଲ୍ କ୍ୟାରିୟର…

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଆସନରେ ପୁଣିଥରେ ବସିବାକୁ ଯାଉଥିବା ମମତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା ୧୯୭୦ ମସିହାରେ । ସେତେବେଳେ ସେ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା ହୋଇଥିଲେ । ଏହାପରେ ୧୯୭୬ରୁ ୧୯୮୦ ଯାଏଁ ସେ ମହିଳା କଂଗ୍ରେସର ମହାସଚିବ ମଧ୍ୟ ରହିଥିଲେ । ୧୯୮୪ ମସିହାରେ ମମତା ସିପିଏମର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କୁ  ଜାଦବପୁର ଆସନରୁ ହରାଇବା ସହିତ ଦେଶର ସବୁଠୁ ଯୁବ ସାଂସଦ ହେବାର ଗୌରବ ଅର୍ଜନ କରିଥିଲେ । ଏହାପରେ ପରେ ମମତା ନିଜ କ୍ୟାରିୟରରେ ଅନେକ ନିର୍ବାଚନ ଲଢିଥିଲେ । ଯେଉଁଥିରୁ କିଛିଥିରେ ସେ ପରାଜୟ ଭୋଗିଥିଲେ ମଧ୍ୟ ୧୯୯୬,୧୯୯୮, ୧୯୯୯,୨୦୦୪ ଏବଂ ୨୦୦୯ ମସିହାରେ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ପରେ ପରେ ସେ ୨୦୧୧ରେ ପଶ୍ଚିମବଙ୍ଗ ସରକାରରେ କ୍ଷମତାକୁ ଆସିବା ସହିତ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଶପଥ ନେଇଥିଲେ । ସେବେଠାରୁ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଛନ୍ତି ।

ଟିଏମସି ଗଢିଥିଲେ ମମତା

କଂଗ୍ରେସରେ ଥିବା ସମୟରେ କ୍ଷମତାରେ ରହିବା ସହିତ ମମତା ଅନେକ ବିରୋଧୀ ଶକ୍ତିକୁ ମଧ୍ୟ ସାମ୍ନା କରିଥିଲେ । ୧୯୯୬-୯୭ରେ ସେ କଂଗ୍ରେସ ଉପରେ ଆରୋପ୍ ଲଗାଇବା ସହ ୧୧୯୭ରେ ହାତ ଛାଡିଦେଇଥିଲେ । ପରେ ପରେ ସେ ୧୯୯୮ ମସିହା ଜାନୁଆରୀ ପହିଲାରେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ଗଠନ କରିବା ସହିତ ଏହାର ଅଧ୍ୟକ୍ଷ ହୋଇଥିଲେ । ୧୯୯୮ ମସିହାର ଲୋକସଭା ନିର୍ବାଚନରେ ମମତାଙ୍କ ଟିଏମସି ୮ଟି ସିଟ୍ ଉପରେ କବଜା ମଧ୍ୟ କରିଥିଲା । ଏହାପରେ ପ୍ରଥମ ଥର ପାଇଁ ୨୦୧୧ ମସିହା ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ସଂଖ୍ୟାଗରିଷ୍ଠତା ହାସଲ କରିବା ସହିତ ସରକାର ଗଠନ କରିଥିଲା, ଯାହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ମମତା । ଏହାପରେ ମଧ୍ୟ ୨୦୧୬ରେ ଟିଏମସି ପଶ୍ଚିମବଙ୍ଗରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହିତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଦିଦି ।

ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଦିଦି! 

ଚଳିତ ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସିର ବିଜୟ ଏକପ୍ରକାର ପକ୍କା ହୋଇସାରିଲାଣି । ଏବେ କେବଳ ବିଧିବଦ୍ଧ ଘୋଷଣାକୁ ବାକି ରହିଛି । ନିର୍ବାଚନ କମିସନଙ୍କ ଘୋଷଣା ପରେ ଲଗାତାର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ ସଂଖ୍ୟାଗରିଷ୍ଠତା ହାସଲ କରିବ ଟିଏମସି । ଆଉ ପୁଣି ଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଦିଦି ମମତା ।

ତେବେ ଚଳିତ ଥରର ନିର୍ବାଚନ ମମତାଙ୍କ ପାଇଁ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ବିଜେପି ସୋନାର ବାଙ୍ଗଲା ଡାକରା ଦେଇ ଦିଦିଙ୍କ କଡା ଟକ୍କର ଦେଇଥିଲା । ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଆରମ୍ଭ କରି ଅନେକ ନେତା ଟିଏମସି ଛାଡି ବିଜେପି ଶିବିରରେ ଯୋଗ ଦେଇଥିଲେ । ଦିଦି ମଧ୍ୟ ନିଜ ପାରମ୍ପରିକ ଆସନକୁ ଛାଡି ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବା ସହିତ ଶୁଭେନ୍ଦୁଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ଆଉ ବାଜିମାତ୍ ମଧ୍ୟ କରିଛନ୍ତି । ନନ୍ଦିଗ୍ରାମରୁ ୧୨ ହଜାର ଭୋଟରେ ବିଜୟୀ ହୋଇଛନ୍ତି ମମତା ଦିଦି ।