ଇଡିର ନୋଟିସ ପରେ ଆକ୍ସନମୋଡରେ ଅଭିଷେକ ବାନାର୍ଜୀ । କହିଲେ, ବିଜେପିକୁ ଦେଶରୁ ନହଟାଇବା ପର୍ଯ୍ୟନ୍ତ ଜାରି ରହିବ ଲଢେଇ

180

କନକ ବ୍ୟୁରୋ : କୋଇଲା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ନୋଟିସ ପଠାଇବା ପରେ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ଅଭିଷେକ ବାନାର୍ଜୀ । ନୋଟିସକୁ ନେଇ ସେ କହିଛନ୍ତି କି ଇଡିର ନୋଟିସକୁ ସେ ଭୟ କରନ୍ତି ନାହିଁ । ବିଜେପି ଦେଶରେ ଯେଭଳି ଘୃଣ୍ୟ ରାଜନୀତି ଚଳାଇଛି ତାର ଶାସ୍ତି ତାଙ୍କୁ ମିଳିବ । ଦେଶରୁ ବିଜେପିକୁ ନହଟାଇବା ଯାଏଁ ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି । ଅନ୍ୟପଟେ ୨୦୨୪ ନିର୍ବାଚନ ପୂର୍ବରୁ ଯେଉଁସବୁ ରାଜ୍ୟରେ ବିଜେପି ଗଣତନ୍ତ୍ରକୁ ହତ୍ୟା କରିବାରେ ଲାଗିଛି ସେହିସବୁ ରାଜ୍ୟକୁ ଯାଇ ଲୋକଙ୍କ ପାଇଁ ଟିଏମସି ଲଢେଇ କରିବ ବୋଲି ସେ ବିଜେପିକୁ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ନୋଟିସ ପାଇବା ପରେ ଚୁପ ରହିନାହାନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ପରୋକ୍ଷରେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି କି, ଆପଣ ଆମ ବିରୁଦ୍ଧରେ ଇଡିକୁ କାହିଁକି ଲଗାଉଛନ୍ତି ? ଗୋଟିଏ ମାମଲାକୁ ନେଇ ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଆମ ପାଖରେ ଆପଣଙ୍କ ବିରୋଧରେ ଏକାଧିକ ମାମଲା ରହିଛି । ଏହାସହ କିଭଳି ଲଢିବାକୁ ହୁଏ ଆମକୁ ଜଣା ବୋଲି ମମତା କହିଛନ୍ତି ।

ମମତା ବାନାର୍ଜୀ ଆହୁରି କହିଛନ୍ତି କି “କୋଇଲା ବିଭାଗ କେନ୍ଦ୍ର ହାତରେ ରହିଛି । ତେଣୁ ଏହି ମାମଲା ନେଇ ଟିଏମସି ଉପରେ ଅଙ୍ଗୁଳି ଉଠାଇବାର କୌଣସି ମୂଲ୍ୟ ନାହିଁ” । ଅନ୍ୟପଟେ ପଶ୍ଚିମବଙ୍ଗର ଆସାନସୋଲ ଅଞ୍ଚଳରେ ଖଣି ଲୁଟ କରିଥିବା ବିଜେପି ନେତାଙ୍କ ବିରୋଧରେ କେନ୍ଦ୍ର ଗୃହ ବିଭାଗ କିଭଳି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥିର କରିଛି ତାହା ବିଜେପି ଭାବିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

କହିରଖୁ କି, କୋଇଲା ଦୁର୍ନୀତି ମାମଲାରେ ସଂପୃକ୍ତ ଥିବା କିଛି ଲୋକଙ୍କ ସହ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀ ଅର୍ଥ କାରବାର କରିଥିବାର କିଛି ତଥ୍ୟ ପାଇବା ପରେ ଇଡି ପକ୍ଷରୁ ସେମାନଙ୍କୁ ହାଜର ହେବାକୁ ନୋଟିସ କରାଯିବା ସହ ବ୍ୟାଙ୍କ ଡିଟେଲ୍ସ ମାଗିଛି ।