ମୋଦିଙ୍କ ପରେ ଶାହାଙ୍କୁ ଭେଟିଲେ ମମତା । ଉଠାଇଲେ ଏନଆରସି ପ୍ରସଙ୍ଗ ।

310

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖିଆ ମମତା ବାନାର୍ଜି ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ଜାତୀୟ ନାଗରିକ ରେଜିଷ୍ଟ୍ରର (ଏନଆରସି)କୁ ନେଇ ଗୃହମନ୍ତ୍ରୀଙ୍କୁ ଏକ ଚିଠି ଦେଇଛନ୍ତି । ଏନଆରସିରେ ୧୯ ଲକ୍ଷ ଲୋକଙ୍କୁ ବାଦ ଦିଆଯାଇଥିବା ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଏହି ଲୋକମାନଙ୍କ ମଧ୍ୟରୁ ଅନେକ ହିନ୍ଦୀଭାଷା,ବଙ୍ଗଳାଭାଷୀ ଓ ଗୋର୍ଖାଭାଷୀ ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଭାରତୀୟ ଭୋଟର ରହିଛନ୍ତି । ତେବେ ପଶ୍ଚିମବଙ୍ଗରେ ଏନଆରସି କରାଯିବା ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି । ପଶ୍ଚିମବଙ୍ଗରେ ଏନଆରସିର ଆବଶ୍ୟକତା ନାହିଁ ବୋଲି ମମତା କହିଛନ୍ତି ।

ଗତକାଲି ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ମମତା । ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଏକ କୂର୍ତ୍ତା ଉପହାର ଦେଇଥିଲେ ଦିଦି । ତେବେ ଆଜି ଅମିତ ଶାହାଙ୍କ ସହ ଗୃହମନ୍ତ୍ରାଳୟରେ ମମତାଙ୍କ ଭେଟଘାଟ ହୋଇଛି । ରାଜ୍ୟର ସମସ୍ୟା ବାବଦରେ ଶାହାଙ୍କୁ ଅବଗତ କରାଇବା ସହ ପଶ୍ଚିମବଙ୍ଗର ନାଁ ପରିବର୍ତ୍ତନ କରିବା ଉପରେ ଚର୍ଚ୍ଚା କରିଛନ୍ତି ମମତା । ପଶ୍ଚିମବଙ୍ଗ ବଦଳରେ ବାଙ୍ଗଲା କରିବାକୁ ତୃଣମୂଳ କଂଗ୍ରେସ ଦାବି କରୁଛି ।