କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ନେତ୍ରୀ ମମତା ବାନାର୍ଜୀ ୫ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି କ୍ରମରେ ଗତକାଲି ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟ କରିଥିବା ବେଳେ ଆଜି କେନ୍ଦ୍ର ସରକାରଙ୍କ ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ଭେଟିପାରନ୍ତି । ଏହା ବ୍ୟତୀତ ଏନସିପି ନେତା ଶରଦ ପାୱାର, ଶିବସେନା ମୁଖପାତ୍ର ସଂଜୟ ରାୱତ, କାହାଣୀକାର ଜାଭେଦ୍ ଅଖତାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାସହ ବଲିଉଡ ଅଭିନେତ୍ରୀ ତଥା ସାମାଜିକ କର୍ମୀ ଶବନା ଆଜମୀଙ୍କୁ ଭେଟିପାରନ୍ତି ବୋଲି ଅନୁମାନ କରାଯାଇଛି ।

Advertisment

କହିରଖୁ କି ୨୦୨୪ ନିର୍ବାଚନରେ ବିରୋଧୀ ମାନଙ୍କୁ ଏକଜୁଟ କରି ମୋଦୀ ସରକାରଙ୍କ ବିରୋଧରେ ଏକ ବଡ ମୋର୍ଚ୍ଚା ଖୋଲିବାକୁ ଯୋଜନା କରିଛନ୍ତି ମମତା । ପଶ୍ଚିମବଙ୍ଗରେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ଓ ବିଜେପିର ସବୁ କଳ, ବଳ କୌଶଳକୁ ପରାହତ କରି ରାଜ୍ୟରେ ବହୁମତ ହାସଲ କରିବା ପରେ ମମତା କେନ୍ଦ୍ର ରାଜନୀତିରେ ପାଦ ଥାପିବାକୁ ଚେଷ୍ଟା କରିଛନ୍ତି । ଏହି କ୍ରମରେ ସେ ଗତକାଲି ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟ କରିବା ପରେ ବିଜେପିକୁ ଟାର୍ଗେଟ କରି ଗଣମାଧ୍ୟମରେ କହିଥିଲେ କି, ବିଜେପି ଅପରାଜେୟ ନୁହେଁ, ଯଦି ସବୁ ବିରୋଧୀଦଳ ଏକାଠି ହୋଇଯିବେ ତେବେ ଦେଶର ରାଜନୈତିକ ଦୃଶ୍ୟପଟ ୬ ମାସ ମଧ୍ୟରେ ବଦଳି ଯିବ । ଅନ୍ୟପଟେ ବିରୋଧୀଦଳର ଚେହେରା କିଏ ହେବ ବୋଲି ଗଣମାଧ୍ୟମ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ କି ଭୋଟରମାନେ ହିଁ ମୁ୍ଖ୍ୟ ଚେହେରା । କିଏ ସେମାନଙ୍କୁ ଦେଶର ବାସ୍ତବ ଚିତ୍ର ଦେଖାଇପାରିବ ସେ ହିଁ ହେବ ମୁଖ୍ୟ ।

ଅନ୍ୟପଟେ ଆଜି ନିତୀନ ଗଡକରୀଙ୍କୁ ଭେଟିବା ନେଇ କାରଣ ସ୍ପଷ୍ଟ ହୋଇ ନଥିଲେ ବି କିଛିଦିନ ହେବ ବିଜେପି ଉପରେ ଗଡକରୀ ସନ୍ତୁଷ୍ଟ ନାହାନ୍ତି । ତୈଳଦର ବୃଦ୍ଧିନେଇ ସେ ଇସାରାରେ ବିଜେପିକୁ ବିରୋଧ କରିଥିଲେ । ଅନୁମାନ କରାଯାଉଛି ଯେ ନିତୀନ ଗଡକରୀଙ୍କୁ ଭେଟି ମମତା ଦିଲ୍ଲୀ ରାଜନୀତିରେ ନୂଆ ଚାଲ୍ ଖେଳିବାକୁ ଯାଉଛନ୍ତି ।