ମୋଦିଙ୍କ ମହାସମାବେଶକୁ କାଉଁଟର କରିବାକୁ ଦିଦିଙ୍କ ପଦଯାତ୍ରା । ଗ୍ୟାସ ଦାମ ଓ ତୈଳଦର ବୃଦ୍ଧିକୁ ନେଇ ରାଜରାସ୍ତାରେ ମମତା ।

184

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ମହା ସମାବେଶକୁ କାଉଁଟର କରିବା ପାଇଁ ମମତା ବାନାର୍ଜୀ ସିଲିଗୁଡିରେ ପଦଯାତ୍ରା କରିଛନ୍ତି । ଏଲପିଜି ଗ୍ୟାସ ସିଲିଣ୍ଡର ଓ ତୈଳଦର ବୃଦ୍ଧିକୁ ବିରୋଧ କରି ମହିଳାଙ୍କୁ ସାଙ୍ଗରେ ଧରି ମମତା ବାନାର୍ଜୀ ଏହି ରାଲି କରିଛନ୍ତି । ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ପଦ ଯାତ୍ରାରେ ବାହାରିଛନ୍ତି ଦିଦି । ତାଙ୍କ ସହ ହଜାର ହଜାର ସମର୍ଥକ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି । ଯାହା ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି । ଆଗକୁ ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପି-ତୃଣମୂଳ କଂଗ୍ରେସ ଭିତରେ ଶକ୍ତି ପ୍ରଦର୍ଶନ ଜାରି ରହିଛି ।

ଅନ୍ୟପଟେ ଆଜି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ଲୋକଙ୍କୁ ସମ୍ବୋଧନ କରି ଦିଦିଙ୍କ ଉପରେ ବର୍ଷିଛନ୍ତି ମୋଦି । ଜନତାଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ପରିବର୍ତନ ପାଇଁ ମମତା ସରକାରଙ୍କୁ ବାଛିଥିଲେ ବଙ୍ଗଳା ଜନତା । ହେଲେ ଲୋକଙ୍କ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଲେ ଦିଦି । ଏହି ଲଢେଇ ସରକାର ପରିବର୍ତନ ପାଇଁ ନୁହେଁ ବଂର ପଶ୍ଚିମବଙ୍ଗର ବିକାଶ ପାଇଁ ଲଢେଇ ଚାଲିଛି ।

ପଶ୍ଚିମବଙ୍ଗରେ ବାମ ଦଳ, ଟିଏମସି ଶାସନର ବିକାଶ ଠାରୁ ବହୁତ ଦୂରରେ ରହିଛି ରାଜ୍ୟ । ତେଣୁ ଲୋକେ ପରିବର୍ତନ ଚାହୁଁଛନ୍ତି । ଲୋକଙ୍କ ସ୍ୱପ୍ନ ଓ ଭବିଷ୍ୟତ ପାଇଁ ପରିଶ୍ରମ କରି ବିକାଶ କରିବାକୁ ବିଜେପି ସଦା ସର୍ବଦା ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ସୁପର-ସଣ୍ଡେରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ବଲିଉଡ ଷ୍ଟାର ମିଥୁନ ଚକ୍ରବର୍ତି । ବିଜେପିର ବରିଷ୍ଠ ନେତା ମୁକୁଲ ଘୋଷ, କୈଳାସ ବିଜୟବର୍ଗୀୟଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି ବିଶାଳ ଜନ ସମାବେଶ । ଏହି ସମାବେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଶଙ୍ଖନାଦ କରିଛନ୍ତି ପ୍ରଧାନମନ୍ତ୍ରୀ । ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ବିଶାଳ ରାଲି କରି ମମତା ବାନାର୍ଜୀଙ୍କ ବିରୋଧରେ, ବିଜେପି ରଣହୁଙ୍କାର ଦେଇଛି ।