ନନ୍ଦିଗ୍ରାମରେ ପରାଜୟ ପରେ ନିର୍ବାଚନ କମିଶନ ଉପରକୁ ଅଙ୍ଗୁଳି ଉଠାଇଲେ ମମତା : କହିଲେ ପକ୍ଷପାତିତା ବିରୋଧରେ ଯିବେ କୋର୍ଟ

ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ କରିବେ ଦାବି ଉପସ୍ଥାପନ

205

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଯାଦୁ ଚାଲିଥିଲେ ବି ନନ୍ଦିଗ୍ରାମରେ ପରାଜୟବରଣ କରିଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ । ଏହା ପରେ ନନ୍ଦିଗ୍ରାମ ଭୋଟଗଣତି ନେଇ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମମତା । କହିଛନ୍ତି, କମିଶନଙ୍କ ପକ୍ଷପାତିତା ବିରୋଧରେ ସେ କୋର୍ଟ ଯିବେ । ସେପଟେ ନନ୍ଦିଗ୍ରାମରେ ପୁଣି ଥରେ ଭୋଟଗଣତି ପାଇଁ ତୃଣମୂଳ କଂଗ୍ରେସର ଅନୁରୋଧକୁ ନିର୍ବାଚନ କମିଶନ ଖାରଜ କରିଦେଇଛନ୍ତି ।

ରାଜ୍ୟରେ ଟିଏମସି ୨୧୩ ଆସନରେ ଆଗୁଆ ରହି ମମତାଙ୍କ ଯାଦୁ ଚାଲିଥିଲେ ବି ନନ୍ଦିଗ୍ରାମରେ ଦିଦିକୁ ହରାଇଦେଇଛନ୍ତି ତାଙ୍କର ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ଗତକାଲି ସକାଳୁ ଭୋଟଗଣତି ଆରମ୍ଭ ହେବା ମାତ୍ରେ ପ୍ରଥମରୁ ହିଁ ଆଗୁଆ-ପଛୁଆ ନେଇ ଲୁଚକାଳି ଖେଳ ଜାରି ରହିଥିଲା । ସକାଳୁ ମଧ୍ୟାହ୍ନ ଯାଏଁ ଶୁଭେନ୍ଦୁ ଅଧିକାରୀ ଆଗୁଆ ରହିଥିଲେ । ଏହା ପରେ ମମତା ବାନାର୍ଜୀ ମଧ୍ୟାହ୍ନ ପରେ ଆଗୁଆ ରହିଥିଲେ । ସାରା ଦେଶର ନଜର ନନ୍ଦିଗ୍ରାମ ଆସନ ଉପରେ ରହିଥିବାବେଳେ ଭୋଟ ବ୍ୟବଧାନର ଏହି ଲୁଚକାଳି ଖେଳ ବେଶ ରେମାଂଚକର ହୋଇଥିଲା ।

ଗୋଟିଏ ସମୟରେ ନନ୍ଦିଗ୍ରାମରେ ମମତା ଜିତିଗଲେ ବୋଲି ଖବର ଆସିଲା । କିନ୍ତୁ ଶେଷରେ ମମତା ନିର୍ବାଚନ ହାରିଯାଇଥିଲେ । ବିଜୟ ପରେ ନନ୍ଦିଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଶୁଭେନ୍ଦୁ ଅଧିକାରୀ । ଖବର ଅନୁସାରେ, ଆଜି ମମତା ତୃତୀୟ ଥର ଲାଗି ସରକାର ଗଢିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବେ । ଆଜି ସନ୍ଧ୍ୟା ୭ଟାରେ ମମତା, ରାଜ୍ୟପାଳଙ୍କୁ ସାକ୍ଷାତ କରିପାରନ୍ତି ।