ମମତା ଆଗରେ, ପ୍ରିୟଙ୍କା ପଛରେ । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ୧୮ ହଜାର ଭୋଟରେ ଦିଦି ଆଗୁଆ ।

182

କନକ ବ୍ୟୁରୋ : ଭବାନୀପୁରରେ ମମତା ପୁଣି ଆଗୁଆ । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ଭବାନୀପୁର ଆସନରୁ ଆଗୁଆ ରହିଛନ୍ତି ମମତା ବାନାର୍ଜୀ । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ ଟିଏମସି ପ୍ରାର୍ଥୀ ମମତାଙ୍କ ଠାରୁ ପ୍ରାୟ ୧୮ ହଜାରରୁ ଅଧିକ ଭୋଟରେ ପଛୁଆ ରହିଛନ୍ତି । ଆଉ ଏହାସହ ଭବାନୀପୁରରେ ବିଜେପିର ବିଜୟ ଆଶା ଧୀରେ ଧୀରେ ମଉଳିବା ଆରମ୍ଭ ହୋଇଛି ।

ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ମମତା ବାନାର୍ଜୀ ୨୨୫୩୧ ଭୋଟ ପାଇଥିବା ବେଳେ ବିଜେପିର ପ୍ରିୟଙ୍କା ଟିବ୍ରେୱାଲ ୪୧୪୭ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି ନୋଟାରେ ୨୩୨ ଖଣ୍ଡ ଭୋଟ ପଡିଛି । ଆଉ ଏହାସହ ଭବାନୀପୁରରେ ମମତାଙ୍କ ବିଜୟ ଆଶା ବଢିଛି । ଲଗାତାର ଆଗୁଆ ରହିବା ପରେ ମମତାଙ୍କ ବାସଭବନରେ ଟିଏମସି କର୍ମୀ ବାଜା ବଜାଇ ଉତ୍ସବ ମନାଇଛନ୍ତି ।

ଗତ ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଛନ୍ତି । ଭବାନୀପୁର ଉପ-ନିର୍ବାଚନରେ ମୋଟ ୫୩.୩୨ ପ୍ରତିଶତ ମତଦାନ ହୋଇଥିବା ଫଳାଫଳ କାହା ସପକ୍ଷରେ ଯିବ ତାହାର ଆକଳନ କରିବା ବେଶ କଷ୍ଟକର ହୋଇପଡିଛି । କାରଣ ମମତାଙ୍କୁ ମାତ୍ ଦେବାକୁ ବିଜେପି ଜୋର ଲଗାଇଥିଲା । ଦଳ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ କରି ମମତାଙ୍କୁ କଡା ଟକ୍କର ଦେଇଛି ବୋଲି ଦାବି କରିଛି ।

ଅନ୍ୟପଟେ ଏହି ନିର୍ବାଚନ ମମତାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ କରାଯାଉଛି । କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନଗଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିପାରେ । କାରଣ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନଥାଇ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିଥାଏ । ନଚେତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାଏ । ଯେହେତୁ ମମତା ନନ୍ଦୀଗ୍ରାମ ଆସନରୁ ପରାଜିତ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଛନ୍ତି ତେଣୁ ଭବାନୀପୁର ଆସନ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ।