କନକ ବ୍ୟୁରୋ : ହାଇପ୍ରୋଫାଇଲ ଭବାନୀପୁର ଆସନ ପାଇଁ ଆରମ୍ଭ ହୋଇଛି ଭୋଟଗଣତି । ପ୍ରଥମ ରାଉଣ୍ଡରେ ଟିଏମସି ପ୍ରାର୍ଥୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଗୁଆ ରହିଛନ୍ତି  ।ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ମମତା ୨୮୦୦ ଭୋଟରେ ଆଗୁଆ ରହିଛନ୍ତି । ସେହିଭଳି ପୋଷ୍ଟାଲ ବାଲାଟରେ ମଧ୍ୟ ମମତା ୭୭୫ ଭୋଟରେ ଆଗୁଆ ରହିଛନ୍ତି ।

Advertisment

ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ହାରିବା ପରେ ଉପନିର୍ବାଚନରେ ମମତା ଭାଗ୍ୟ ପରଖୁଛନ୍ତି  । କଡା ସୁରକ୍ଷା ମଧ୍ୟରେ ଭବାନୀପୁରରେ ଭୋଟ ଗଣତି ଚାଲିଛି । ଭୋଟ ଗଣତି କେନ୍ଦ୍ରରେ ସ୍ଥାନୀୟ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷାବଳ ନିୟୋଜିତ କରାଯାଇଛି । ଭୋଟଗଣତି କେନ୍ଦ୍ରକୁ ପୂରା ସିସିଟିଭି ନଜରରେ ରଖାଯାଇଛି । ମୋଟ ୨୧ ରାଉଣ୍ଡ ଭୋଟଗଣନା ହେବ ।  ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକଙ୍କୁ ଛାଡିଦେଲେ ଭୋଟ ଗଣତିରେ ନିୟୋଜିତ ଥିବା ଅନ୍ୟ କୌଣସି କର୍ମଚାରୀ ମୋବାଇଲ ବ୍ୟବହାର କରିପାରିବେ ନାହିଁ ।

ଗତ ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଛନ୍ତି । ଭବାନୀପୁର ଉପ-ନିର୍ବାଚନରେ ମୋଟ ୫୩.୩୨ ପ୍ରତିଶତ ମତଦାନ ହୋଇଥିବା ଫଳାଫଳ କାହା ସପକ୍ଷରେ ଯିବ ତାହାର ଆକଳନ କରିବା ବେଶ କଷ୍ଟକର ହୋଇପଡିଛି । କାରଣ ମମତାଙ୍କୁ ମାତ୍ ଦେବାକୁ ବିଜେପି ଜୋର ଲଗାଇଥିଲା । ଦଳ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ କରି ମମତାଙ୍କୁ କଡା ଟକ୍କର ଦେଇଛି ବୋଲି ଦାବି କରିଛି ।

ଅନ୍ୟପଟେ ଏହି ନିର୍ବାଚନ ମମତାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ କରାଯାଉଛି । କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନଗଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିପାରେ । କାରଣ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନଥାଇ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିଥାଏ । ନଚେତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାଏ । ଯେହେତୁ ମମତା ନନ୍ଦୀଗ୍ରାମ ଆସନରୁ ପରାଜିତ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଛନ୍ତି ତେଣୁ ଭବାନୀପୁର ଆସନ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ।