ପଶ୍ଚିମବଙ୍ଗରେ ଉପନିର୍ବାଚନ: ଭବାନୀପୁର ଆସନ ପାଇଁ ନାମାଙ୍କନ ଦାଖଲ କଲେ ମମତା

111

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । କହିରଖୁ କି ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ଏହି ଉପନିର୍ବାଚନ ଜିତିବା ନିହାତି ଆବଶ୍ୟକ । ସେପ୍ଟେମ୍ବର ୬ ତାରିଖରେ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ଭବାନୀପୁର ଆସନରେ ଉପନିର୍ବାଚନ ହେବା ନେଇ ଅଧିସୂଚନା ଜାରି କରିଥିଲେ । ନାମାଙ୍କନର ଶେଷ ତାରିଖ ସେପ୍ଟେମ୍ବର ୧୩ ତାରିଖ ଥିବା ବେଳେ ଆଜି ମମତା ବାନାର୍ଜୀ ଏହି ଆସନରୁ ପ୍ରତିଦ୍ୱନ୍ଦିତା କରିବାକୁ ନାମାଙ୍କନ ଭରିଛନ୍ତି ।

ସୂଚନା ଥାଉକି ଚଳିତ ବର୍ଷ ମେ’ ମାସରେ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀର ନନ୍ଦୀଗ୍ରାମ ଆସନରୁ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ । ସେଠାରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ପରାଜିତ କରିଥିଲେ । ହେଲେ ଟିଏମସିକୁ ବହୁମତ ମିିଳିବା ପରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ସାମ୍ବିଧାନିକ ନିୟମ ମୁତାବକ ତାଙ୍କୁ ୬ ମାସ ମଧ୍ୟରେ ବିଧାୟକ ଭାବେ ରାଜ୍ୟର କୌଣସି ବିଧାନସଭା କ୍ଷେତ୍ରରୁ ବିଜୟୀ ହେବାକୁ ପଡିବ ।

ଏହି କ୍ରମରେ ଭବାନୀପୁର ଆସନରୁ ବିଜୟୀ ହୋଇଥିବା ଟିଏମସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ପଦରୁ ଇସ୍ତଫା ଦେବା ପରେ ଏହି ଆସନରୁ ମମତା ବାନାର୍ଜୀ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଅନ୍ୟପଟେ ଭବାନୀପୁର ହେଉଛି ମମତାଙ୍କ ପାରମ୍ପରିିକ ଆସନ । ଏହି ଆସନରୁ ସେ ଅନେକବାର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ହେଲେ ଏଥର ତାଙ୍କୁ ଟକ୍କର ଦେବାକୁ ବିଜେପି ବି ଜଣେ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଆଣିଛି ।

ବିଜେପି ନେତ୍ରୀ ପ୍ରିୟଙ୍କା ଟିବରେୱାଲ ମମତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି । ଗଣମାଧ୍ୟମର ସୂଚନା ମୁତାବକ ପ୍ରିୟଙ୍କା ବିଜେପି ନେତା ବାବୁଲ ସୁପ୍ରିୟୋଙ୍କ ଆଇନ ପରାମର୍ଶଦାତା ଭାବେ କାମ କରୁଥିଲେ । ସେ ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ । ଅନ୍ୟପଟେ ମମତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବାମମେଣ୍ଟ ବି ଭବାନୀପୁର ଆସନରୁ ପ୍ରାର୍ଥୀ ଦେଇଛି । ମେଣ୍ଟ ତରଫରୁ ସିପିଆଇ(ଏମ) ନେତା ଶ୍ରୀଜୀବ ବିଶ୍ୱାସ ପ୍ରାର୍ଥୀ ହୋଇଛନ୍ତି ।