ପଶ୍ଚିମବଙ୍ଗ ପରେ ଦିଲ୍ଲୀ ଉପରେ ଦିଦିଙ୍କ ନଜର । ୪ ଦିନିଆ ଗସ୍ତରେ କରିବେ ବୈଠକ ପରେ ବୈଠକ । ସୋନିଆ ଗାନ୍ଧୀ, ଶରଦ ପାୱାରଙ୍କ ସମେତ ଅନ୍ୟ ବିରୋଧୀ ନେତାଙ୍କୁ ଭେଟିବେ ମମତା 

197

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦିଲ୍ଲୀ ଉପରେ ନଜର । ଯାହାକୁ ନେଇ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୩୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ । ଏହି ସମୟରେ ବିଜେପି ବିରୋଧୀ ସାମ୍ମୁଖ୍ୟର ରୂପରେଖ ପ୍ରସ୍ତୁତ କରିବା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ କରିଦେଇଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲକ୍ଷ ଏବେ ଦିଲ୍ଲୀ ଆଶନ ଉପରେ । ରାଜ୍ୟ ବିଧାନସଭା ନିର୍ବାଚନରେ ବାଜି ମାରିବା ପରେ ଏବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ଏନେଇ ଦିଲ୍ଲୀ ରେ ପହଁଚି ରଣନୀତି ପ୍ରସ୍ତୁତ କରୁଛନ୍ତି ଦିଦି । ୪ ଦିନିଆ ଦିଲ୍ଲୀ ଗସ୍ତରେ ପ୍ରଥମେ କଂଗ୍ରେସ ଅନ୍ତରିଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଭେଟି ମମତା ବାନାର୍ଜୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି । କେବଳ ସେତିକି ନୁହେଁ ଏନସିପି ମୁଖ୍ୟ ଶରଦ ପୱାରଙ୍କ ସହ ସାକ୍ଷାତ୍ କରିବାର ଯୋଜନା ରହିଛି । ସେପଟେ ବିରୋଧୀ ମମତାଙ୍କ ଏହି ଗସ୍ତକୁ ସମାଲୋଚନା କରିଛନ୍ତି ।

ନିଜ ୪ଦିନିଆ ଗସ୍ତ ମଧ୍ୟରେ ଆସନ୍ତା ୨୮ ତାରିଖରେ ମମତା ବଙ୍ଗ ଭବନରେ ବିରୋଧୀ ଦଳ ନେତାଙ୍କର ବୈଠକ ଡାକିଛନ୍ତି । ସେହିଦିନ ହିଁ ମମତା ବାନାର୍ଜୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଜେପି ବିରୋଧରେ ସାମ୍ମୁଖ୍ୟ ଗଠନ ପାଇଁ ମମତା ବାନାର୍ଜୀ ଡାକିଥିବା ବୈଠକରେ କଂଗ୍ରେସ, ଏନସିପି ସମେତ ପ୍ରାୟ ୧୦ଟି ଦଳର ନେତା ସାମିଲ ହେବେ । ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ମଧ୍ୟ ବିଜେପି ବିରୋଧୀ ସାମ୍ମୁଖ୍ୟ ଗଠନ ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଜଣାପଡ଼ିଛି ।

ସେପଟେ ପେଗାସସ୍ ଗୁପ୍ତଚରୀକୁ ନେଇ ମମତା ସରକାର ଏକ କମିଟି ଗଠନ କରିଛି । ମୋବାଇଲ ଟାପିଂକୁ ନେଇ ଅଧିକ ତଦନ୍ତ ପାଇଁ ଏହି କମିଟି କାମ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମମତା ବାନାର୍ଜୀ ।  କେନ୍ଦ୍ରରେ ମୋଦୀ ସରକାର ବିରୋଧରେ ବିରୋଧିଙ୍କ ସହ ଏକଜୁଟ ହୋଇ ରଣନୀତି ପ୍ରସ୍ତୁତ କରିବା ପାଇଁ ଜୋର ଦାର ଲାଗି ପଡିଛନ୍ତି ମମତା ବାନାର୍ଜୀ ।