ଦୁର୍ଗା ପୂଜା ମଣ୍ଡପରେ ଦେଖିବାକୁ ମିଳିବ ମମତା ବାନାର୍ଜୀଙ୍କ ୧୦ ହାତ ଥିବା ମୂର୍ତ୍ତି

156

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ରାଜ୍ୟରେ ସବୁଠାରୁ ବଡ ପର୍ବ କୁହାଯାଉଥିବା ଦୁର୍ଗା ପୂଜା ଚଳିତ ବର୍ଷ ବଡ ଧୁମଧାମରେ ପାଳନ ହେବାକୁ ଯାଉଛି । ଅନ୍ୟ ବର୍ଷ ଭଳି ଏବର୍ଷ ବି ରାଜ୍ୟର ବିଭିନ୍ନ ସ୍ଥାନରେ ସୁନ୍ଦର ପୂଜା ମଣ୍ଡପ ଓ ମା’ଙ୍କ ମୂର୍ତ୍ତି କାମ ଆରମ୍ଭ ହୋଇଛି । ହେଲେ ଏହାରି ମଧ୍ୟରେ ଏକ ବିବାଦ ଦେଖା ଦେଇଛି । ଚଳିତ ବର୍ଷ ପୂଜା ମଣ୍ଡପର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିବ ।

ମୂର୍ତ୍ତି କାରିଗର ମିଣ୍ଟୁ ପାଲ ତାଙ୍କ ଟିମ୍ ସହ ମିଶି ମମତା ବାନାର୍ଜୀଙ୍କ ଏକ ୧୦ ହାତ ଥିବା ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି । ଏହି ମୂର୍ତ୍ତିକୁ ଦୁର୍ଗା ପୂଜା ଅବସରରେ ଏକ ପ୍ୟାଣ୍ଡେଲରେ ରଖାଯିବ । କୁହାଯାଉଛି କି ଏହି ମୂର୍ତ୍ତି ଆଳରେ ମମତା ବାନାର୍ଜୀଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ୧୦ ଟି ଯୋଜନା ବାବଦରେ ଲୋକଙ୍କୁ ସୂଚିତ କରାଯିବ ।

ଅନ୍ୟପଟେ ମୂର୍ତ୍ତି କାରିଗର ମିଣ୍ଟୁ ପାଲ ସ୍ପଷ୍ଟ କରିଛନ୍ତି କି, ଏଭଳି ମୂର୍ତ୍ତିକୁ ନେଇ କୌଣସି ବିବାଦ ହେବା ଉଚିତ ନୁହେଁ । ପୂର୍ବରୁ ବି ଅନେକ ନେତାଙ୍କୁ ନେଇ ମୂର୍ତ୍ତି ତିଆରି କରାଯାଇଥିବା କଥା ମିଣ୍ଟୁ କହିଛନ୍ତି । ଅନ୍ୟପଟେ ପ୍ରସ୍ତୁତ କରାଯାଇଥିବା ମମତା ବାନାର୍ଜୀଙ୍କ ମୂର୍ତ୍ତି ପୂଜା କରାନଯାଇ କେବଳ ଲୋକମାନେ ଦେଖିବା ପାଇଁ ପ୍ୟାଣ୍ଡେଲରେ ରଖାଯିବ ବୋଲି ମିଣ୍ଟୁ କହିଛନ୍ତି ।  କହିରଖୁ କି ଏହି ମୂର୍ତ୍ତି ନିର୍ମାଣ ପାଇଁ ନଜରୁଲ ପାର୍କ ଉନ୍ନୟନ ସମିତି ପକ୍ଷରୁ ଅଗ୍ରୀମ ଦିଆଯାଇଛି । ଏହାସହ ଏହି ମୂର୍ତ୍ତିକୁ ବିସର୍ଜନ କରାଯିବ ନାହିଁ ।