କନକ ବ୍ୟୁରୋ : ବିଜେପିରେ ସାମିଲ ହେଲେ ଦୋଷୀ ନିର୍ଦ୍ଦୋଷ ହୋଇଯାଏ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କୋଲକାତାରେ ଆୟୋଜିତ ଏକ ଧର୍ମଘଟରେ ସାମିଲ ହୋଇ ମଞ୍ଚ ଉପରେ “ବିଜେପି ୱାଶିଂ ମେସିନ୍” ପ୍ରଦର୍ଶନ କରିଥିଲେ । ପରେ ଏହି ମେସିନରେ ଏକ କଳା ରଙ୍ଗର କପଡା ଭର୍ତ୍ତି କରି ତୁରନ୍ତ ସେଥିରୁ ଏକ ଧଳା ରଙ୍ଗର କପଡା ବାହାର କରିଥିଲେ । ଏଭଳି କରି ସେ ଦେଖାଇବାକୁ ଚାହିଁଥିଲେ ଯେ, ଦୁର୍ନୀତି ଅଭିଯୋଗ ଥିବା ନେତା ବିଜେପିରେ ଯୋଗଦେବା ପରେ ନିର୍ଦ୍ଦୋଷ ହୋଇଯାନ୍ତି ।

Advertisment

ତୃଣମୂଳ କଂଗ୍ରେସ ମଧ୍ୟ ଏହି ୱାଶିଂ ମେସିନର ଭିଡିଓକୁ ଏହାର ଅଧିକାରୀକ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି । ଭିଡିଓରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେସିନରେ କଳା ପୋଷାକ ରଖୁଥିବାର ନଜର ଆସିଛନ୍ତି । ଏହା ପରେ ସେ ମେସିନରୁ ଧଳା ପୋଷାକ ବାହାର କରୁଥିବା ଦେଖିବାକୁ ମିଳିଛି । ଟିଏମସି ଦ୍ୱାରା ଆୟୋଜିତ ଧର୍ମଘଟରେ ଘରୋଇ ଗ୍ୟାସର ମୂଲ୍ୟ ବୃଦ୍ଧି, ରାଜ୍ୟ ସରକାରୀ ପାଣ୍ଠି ରିଲିଜ୍ ନହେବା ଏବଂ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାରକୁ ନେଇ ସ୍ୱର ଉତୋଳନ କରାଯାଇଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଥିଲେ- “କେନ୍ଦ୍ରୀୟ ଏଜେନ୍ସି ବିରୋଧୀ ଦଳର ନେତାମାନଙ୍କୁ ଟାର୍ଗେଟ କରୁଛି, କିନ୍ତୁ ବିଜେପିରେ ଯୋଗ ଦେଇଥିବା କୌଣସି ନେତାଙ୍କ ବିରୋଧରେ କୌଣସି ତଦନ୍ତ ଆରମ୍ଭ କରୁନାହିଁ । ବିଜେପି ଏକ ୱାଶିଂ ମେସିନରେ ପରିଣତ ହୋଇଛି । ପ୍ରତିବାଦ କରିବାର ସମସ୍ତ ଅଧିକାର ଅଛି । ଯଦି ଆବଶ୍ୟକ ହୁଏ, ତାହେଲେ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସେ କହିଛନ୍ତି ।