ସୋନିଆଙ୍କୁ ଭେଟିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମମତା , କହିଲେ, ପଶ୍ଚିମବଙ୍ଗ ପରେ ଏବେ ପୁରା ଦେଶରେ ‘ଖେଲା ହବେ’

131

କନକ ବ୍ୟୁରୋ : ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମମତା ସୋନିଆଙ୍କୁ ଭେଟିବା ପୂର୍ବରୁ ପୁଣିଥରେ ଚିରାଚରିତ ଢଙ୍ଗରେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ପେଗାସସ୍ ମାମଲାରେ ମମତା କହିଛନ୍ତି କି ମୋ ଫୋନ, ଅଭିଷେକର ଫୋନ ଓ ପି.କେର ଫୋନ ହ୍ୟାକ୍ ହୋଇଛି । ଏବେ ଦେଶରେ କୌଣସି ପ୍ରକାର ସ୍ୱାଧୀନତା ବଞ୍ଚି ନାହିଁ ।

ଅନ୍ୟପଟେ ତ୍ରୀପୁରା ଓ ଆସାମ ମଧ୍ୟରେ ଚାଲିଥିବା ହିଂସାକୁ ନେଇ ମମତା କହିଛନ୍ତି କି ମୁଁ ଯେଉଁମାନଙ୍କୁ ତ୍ରୀପୁରା ପଠାଇଥିଲି ସେମାନଙ୍କୁ ବିଜେପି ସରକାର ଗିରଫ୍ କରିଛନ୍ତି । ଏହାସହ ପେଗାସସ୍ ଏକ ଭୟାନକ ଭୂତାଣୁ, ଯାହାକୁ ବ୍ୟବହାର କରି ଆମର ସୁରକ୍ଷାକୁ ବିପଦରେ ପକାଇଛନ୍ତି ସରକାର । ସଂସଦରେ କିଛି ଆଲୋଚନା ହୋଇପାରୁ ନାହିଁ, ସରକାର ବିରୋଧୀମାନଙ୍କୁ ଚାପରେ ରଖୁଛନ୍ତି । ଏହାକୁ ନେଇ ମମତା କହିଛନ୍ତି କି ଦେଶରେ ବର୍ତମାନ ଜରୁରୀକାଳୀନ ପରିସ୍ଥିତି ଠାରୁ ସ୍ଥିତି ଅଧିକ ଖରାପ ହୋଇଛି ।

ବିରୋଧୀ ମାନଙ୍କ ଏକତାକୁ ନେଇ ମମତା କହିଛନ୍ତି କି, ପୁରା ସିଷ୍ଟମ ରାଜନୈତିକ ଦଳମାନଙ୍କ ଉପରେ ନିର୍ଭର କରୁଛି । ଯଦି କେହି ନେତୃତ୍ୱ ନେବାକୁ ଚାହୁଁଛନ୍ତି ତେବେ ତାଙ୍କର କୌଣସି ଅଭିଯୋଗ ନାହିଁ ବୋଲି କହିବା ସହ ଏବେ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି , ସଂସଦ ଅଧିବେଶନ ପରେ ସବୁ ବିରୋଧୀଦଳମାନଙ୍କ ସହ ଭେଟି ସେ ଆଲୋଚନା କରିବେ ବୋଲି କହିଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କି ସେ ସୋନିଆ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କ ସହ ବୈଠକ କରିବେ । ଲାଲୁ ଯାଦବଙ୍କ ସହ ତାଙ୍କର ଆଲୋଚନା ହୋଇଛି । ସମସ୍ତ ବିରୋଧୀ ଏକଜୁଟ୍ ହେବାର ସମୟ ଆସିଛି । ସେ ଆହୁରି କହିଛନ୍ତି କି ବିରୋଧୀ ମେଣ୍ଟକୁ ନେଇ କେହିଯଦି ଗରୁତର ସହ କାମ କରିବେ ତେବେ ୬ ମାସରେ ଦେଶର ରାଜନୈତିକ ସ୍ଥିତି ବଦଳିଯିବ । ଏହି କ୍ରମରେ ମମତା ବାନାର୍ଜୀ କହିଛନ୍ତି କି ପଶ୍ଚିମବଙ୍ଗ ପରେ ଏବେ ପୁରାଦେଶରେ ‘ଖେଲା ହବେ’