ପଶ୍ଚିମବଙ୍ଗକୁ କେନ୍ଦ୍ରମନ୍ତ୍ରୀଙ୍କ ସହ କେନ୍ଦ୍ରୀୟ ଟିମର ଗସ୍ତକୁ ନେଇ ବର୍ଷିଲେ ମମତା । କହିଲେ କେବଳ ଦଙ୍ଗା ସୃଷ୍ଟି ପାଇଁ ପଶ୍ଚିମବଙ୍ଗ ଆସୁଛନ୍ତି କେନ୍ଦ୍ରୀୟ ନେତା ।

541

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହୋଇଥିବା ହିଂସା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତୃଣମୂଳ କଂଗ୍ରେସ ନିର୍ବାଚନ ଜିତିବା ପରେ ବିଜେପିର ୧୪ଜଣ ଦଳୀୟ କର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲା ବିଜେପି । ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ସମାଲୋଚନା କରାଯାଉଥିବା ବେଳେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୁରଣ ରାଶି ଦେବାକୁ ଘୋଷଣା କରିଛନ୍ତି ମମତା ବାନାର୍ଜି ।

ଅନ୍ୟପଟେ ମମତା ଅଭିଯୋଗ କରିଛନ୍ତି ଯେ ଏଠାକୁ କେନ୍ଦ୍ରମନ୍ତ୍ରୀ କେବଳ ଦଙ୍ଗା ସୃଷ୍ଟି କରିବା ପାଇଁ ଆସୁଛନ୍ତି । ଏଥିପାଇଁ ସମସ୍ତ ରାଜନୈତିକ କାର୍ଯ୍ୟକଳାପକୁ ବନ୍ଦ କରାଯାଇଛି । ସେଥିପାଇଁ ମୁଁ ମୋ ଜିତିବାର ଖୁସି ପାଳନ କରିନାହିଁ । ମୁଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨୪ ଘଂଟା ନ ପୁରୁଣୁ କେନ୍ଦ୍ରରୁ ଟିମ୍ ପଠାଯିବା ସହ ମୋତେ ଚିଠି ଉପରେ ଚିଠି ପଠାଯାଉଛି । ଯେତେବେଳେ ଲୋକମାନେ ଅମ୍ଳଜାନ ପାଇବାରେ ବିଫଳ ହୁଅନ୍ତି ସେତେବେଳେ ବିଜେପି ନେତାମାନେ ଏଠାକୁ ଆସନ୍ତି ନାହିଁ । ଯେତେବେଳେ ହାଥରସ ଭଳି ଘଟଣା ଘଟେ ସେତେବେଳେ ସେମାନେ ଦଳ ପଠାନ୍ତି ନାହିଁ । କିନ୍ତୁ ସେମାନେ ଏବେ ପଶ୍ଚିମବଙ୍ଗକୁ ଦଳ ପଠାଇଛନ୍ତି ।