ନିର୍ବାଚନ କମିଶନରଙ୍କ ଆଦେଶ ବିରୋଧରେ ଧାରଣାରେ ବସିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ପ୍ରଚାର ଉପରେ ୨୪ ଘଂଟା ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ କମିଶନର ।

154

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଚାଲିଛି କର ବା ମର ଯୁଦ୍ଧ । ଆପତ୍ତିଜନକ ଭାଷଣ ଦେଇଥିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ୨୪ ଘଂଟିଆ ପ୍ରଚାର ବନ୍ଦ ଆଦେଶ ଦେଇଥିଲେ ନିର୍ବାଚନ କମିଶନର । ଏହାକୁ ବିରୋଧ କରି ଆଜି ମମତା ବାନାର୍ଜୀ ଧାରଣାରେ ବସିଛନ୍ତି ।

ମମତା ବାନାର୍ଜୀ କୋଲକତାର ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସି ନିର୍ବାଚନ କମିଶନରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଧାରଣା ବେଳେ ବି ଦିଦି ହ୍ୱିଲ ଚେୟାରରେ ବସିଥିବା ଦେଖିବାକୁ ମିଳିଛି ।

କହିରଖୁ କି ଏକ ନିର୍ବାଚନୀ ସଭାରେ ହିିନ୍ଦୁ- ମୁସଲିମ ଭୋଟକୁ ନେଇ କିଛି ଆପତ୍ତିଜନକ ଭାଷଣ ହେଇଥିଲେ ମମତା । ଏହାକୁ ନେଇ ନିର୍ବାଚନ କମିଶନ ଏଭଳି ଆଦେଶ ଦେଇଥିଲେ । ଯାହାଫଳରେ ମମତା ବାନାର୍ଜୀ ସୋମବାର ରାତି ୮ ଟାରୁ ମଙ୍ଗଳବାର ରାତି ୮ ଟା ପର୍ଯ୍ୟନ୍ତ କୌଣସି ସ୍ଥାନରେ ନିର୍ବାଚନୀ ସଭା କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ତାଙ୍କ ଆଦେଶରେ କହିଥିଲେ । ହେଲେ ଆଜି ରାତି ୮ ଟା ପରେ ମମତା ବାନାର୍ଜୀ ୨ ଟି ସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି ।

ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତିକୁ ତୃଣମୂଳ କଂଗ୍ରେସ ପକ୍ଷରୁ କଳାଦିନ ବୋଲି କୁହାଯାଇଛି । କହିରଖୁ କି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ୮ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୪ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆସନ୍ତା ୧୭ ତାରିଖରେ ପଞ୍ଚମ ପର୍ଯ୍ୟାୟ ମତଦାନ ହେବ । ଯେଉଁଥିରେ ମୋଟ ୪୫ ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ ।