ଦିଲ୍ଲୀରେ ଦିଦିଙ୍କ ଡେରା । ହେବିୱେଟ ନେତାଙ୍କୁ ଭେଟୁଛନ୍ତି ମମତା । ସେପଟେ ବିଜେପି ରଖିଛି ତେରେଛା ନଜର ।

155

କନକ ବ୍ୟୁରୋ: ଦିଲ୍ଲୀରେ ଦିଦିଙ୍କ ଡେରା । ୪ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୁଛନ୍ତି ମାରାଥନ ମିଟିଂ । ବିଜେପି ବିରୋଧି ସାମୁଖ୍ୟକୁ ଜୋରଦାର କରିବା ପାଇଁ ଗୋଟିଏ ପରେ ଗୋଟିଏ ହେବିୱେଟ ନେତାଙ୍କୁ ଭେଟୁଛନ୍ତି ମମତା ।

ଆଜି କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିଜ ୪ ଦିନିଆ ଦିଲ୍ଲୀ ଗସ୍ତବେଳେ ୧୦ ଜନପଥରେ ପହଁଚି ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ମମତା । ବୈଠକରେ ସୋନିଆଙ୍କ ସହ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ଏହି ସାକ୍ଷାତ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏହି ଦୁଇ ପ୍ରଭାବଶାଳୀ ନେତ୍ରୀ ।

ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କିପରି ବିରୋଧୀ ଏକ ଜୁଟ ହୋଇ ଆଣ୍ଟି ବିଜେପି ମୋର୍ଚ୍ଚାକୁ ତ୍ୱରାନିତ କରିବେ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଖିଆ ଯିଏ ବି ହେଉ, ମୁଁ ଖାଲି ସୈନ ଭଳି କାମ କରିବି । ଏହି ବୈଠକରେ ପେଗାସସ୍ ଏବଂ କୋଭିଡ୍ -୧୯ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା କରାଯାଇଥିବା ମମତା କହିଛନ୍ତି ।

କେବଳ ସୋନିଆ ଗାନ୍ଧୀ ନୁହଁନ୍ତି ମଙ୍ଗଳବାର ବରିଷ୍ଠ କଂଗ୍ରେସ ନେତା କମଲନାଥ ଓ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ଭେଟିଛନ୍ତି ମମତା । ୨୦୨୪ ସାଧାରଣ ନିର୍ବାଚନ ପୂବରୁ ବିରୋଧୀଙ୍କୁ ଏକଜୁଟ କରି ଆଣ୍ଟିି ବିଜେପି ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ମମତା । ତେବେ ଏହି ଭିତରେ ସୋନିଆ ଓ ମମତାଙ୍କ  ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । କାରଣ ଉଭୟ ହେଉଛନ୍ତି ଦୁଇଟି ବିରୋଧୀ ଦଳର ବେଶ ପ୍ରଭାବଶାଳୀ ନେତ୍ରୀ । ସେପଟେ ସୋନିଆ-ମମତାଙ୍କ ଏହି ମିଟିଂ ଉପରେ ବିଜେପି ମଧ୍ୟ ତାର ତୀକ୍ଷ୍ଣ ନଜର ରଖିଛି । ଆସନ୍ତା ୨୯ ତାରିଖରେ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ଫେରିବେ । ଏହା ପୂର୍ବରୁ ଶରଦ ପାୱାର ଏବଂ ଅନ୍ୟ ପ୍ରମୁଖ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।