କନକ ବ୍ୟୁରୋ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଟିକା କରଣକୁ ନେଇ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ରାଜ୍ୟର ସମସ୍ତ ନାଗରିକଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମାଗଣା କରୋନା ଟିକା ପ୍ରଦାନ କରାଯିବ । ଏନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଥିବା ସେ ସୂଚନା ଦେଇଛନ୍ତି । ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଏହା ମମତା ସରକାରଙ୍କ ବଡ ଘୋଷଣା ବୋଲି କୁହାଯାଉଛି ।

Advertisment

କହିରଖୁ କି ଦେଶରେ ଟିକା କରଣ ଆରମ୍ଭ ହେବା ପୂର୍ବରୁ ପ୍ରଥମଥର ପାଇଁ ବିହାର ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବିଜେପିର ବରିଷ୍ଠ ନେତ୍ରୀ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ବିହାରରେ ବିଜେପି ସରକାରକୁ ଆସିଲେ ମାଗଣା ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ । ଏହା ପରେ ଅନେକ ରାଜ୍ୟ ବି ସେମାନଙ୍କ ରାଜ୍ୟର ନାଗରିକ ମାନଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ।

ଦେଶରେ ଚଳିତ ମାସ ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଗ ଧାଡିର କୋଭିଡ ଯୋଦ୍ଧା ମାନଙ୍କୁ ଏହି ଟିକା ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ନାଗରିକଙ୍କୁ ଏହି ଟିକା ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏନେଇ ଟିକାକରଣ ପୂର୍ବରୁ ଡ୍ରାଏ ରନ୍ ବା ପ୍ରାକ୍ ପ୍ରସ୍ତୁତି କରିସାରିଛନ୍ତି ସରକାର ।

ଗତକାଲି ପଶ୍ଚିମବଙ୍ଗ ଗସ୍ତରେ ଯାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନଡ୍ଡା ବେଙ୍ଗଲରେ ‘ମୁଠିଏ ଚାଉଳ’ ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ରାଜ୍ୟର ୭୪ ଲକ୍ଷ ଚାଷୀ ପରିବାରଙ୍କୁ ଭେଟି ସେମାନଙ୍କୁ ନୂତନ କୃଷି ଆଇନ ବାବଦରେ ବୁଝାଇବା ସହ ସେମାନଙ୍କ ଠାରୁ ମୁଠିଏ ଲେଖାଏଁ ଚାଉଳ ଆଦାୟ କରିବାକୁ ଦଳୀୟ କର୍ମୀଙ୍କୁ କହିଛନ୍ତି ଶ୍ରୀ ନଡ୍ଡା ।

ଏହାକୁ ନଜରରେ ରଖି ଆଜି ମମତା ବାନାର୍ଜୀ ମାଗଣା କରୋନା ଟିକା ନେଇ ଘୋଷଣା କରିଛନ୍ତି । ରାଜନୀତିର ପଶାପାଲିରେ ଏବେ ମମତା ଓ ବିଜେପିର ଲଢେଇ ବେସ୍ ଜୋର ଧରିଛି । ନିର୍ବାଚନ କେବେ ହେବ ସେଥିପାଇଁ ତାରିଖ ଘୋଷଣା ହୋଇନଥିବା ବେଳେ ମୁଠିଏ ଚାଉଳ ଓ ମାଗଣା ଟିକା କାହାକୁ କେତେ ସହାୟକ ହେବ ତାହା ତ ସମୟ କହିବ ।