ମମତା-ଅଶ୍ୱିନୀ କଥା କଟାକଟି, ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ମମତା

1,162

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳ ବୁଲି ଦେଖିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହି ସମୟରେ ମୃତ୍ୟୁସଂଖ୍ୟାକୁ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମମତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ମମତା କହିଥିଲେ, ସ୍ଥାନୀୟ ଲୋକ କହୁଛନ୍ତି, ଏହି ଦୁର୍ଘଟଣାରେ ପ୍ରାୟ ୫ଶହ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଅଶ୍ୱିନୀ କହିଥିଲେ, ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ୨୩୮ଜଣଙ୍କ ମୃତ୍ୟୁ ହୋଇଛି । ଅଶ୍ୱିନୀଙ୍କ ତଥ୍ୟକୁ ନେଇ ମମତା ଅସନ୍ତୋଷ ପ୍ରକାଶ କରି କହିଥିଲେ, ଏହା ଗତରାତିର ତଥ୍ୟ । ମୃତ୍ୟୁସଂଖ୍ୟା ଆହୁରି ବଢ଼ିଗଲାଣି । ଏଥିସହ ୩ଟି ବଗି ତଳେ ଆହୁରି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଜବାବ ରଖି ଅଶ୍ୱିନୀ କହିଥିଲେ, ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । କେବଳ ଏତିକି ନୁହେଁ ଟ୍ରେନ୍ ଦୁର୍ଘଟଣା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ମମତା । କହିଛନ୍ତି, ବିଭାଗର ସମନ୍ୱୟ ଅଭାବରୁ ଏତେ ବଡ ଦୁର୍ଘଟଣା ଘଟିଲା । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉ ।

ତେବେ ବର୍ତମାନ ସମୟରେ ସେ ରାଜନୀତି କରିବାକୁ ଚାହୁଁନଥିବା କହିଛନ୍ତି ।ଏବଂ ରେଳ ମନ୍ତ୍ରୀ ସହ ଅଛନ୍ତି ବୋଲି କହିଛନ୍ତି ମମତା । ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ବହୁ ସଂଖ୍ୟାରେ ପଶ୍ଚିମବଙ୍ଗ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।