ନିଜର ହାତ ନଥିବା ସତ୍ତେ୍ୱ ଅନ୍ୟଙ୍କ ପାଇଁ ସାହାରା ପାଲଟିଛନ୍ତି ମାଲବିକା : ବିସ୍ଫୋରଣରେ ହରାଇଥିଲେ ହାତ , ଆଜି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।

304

ଦୃଢ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନିଥାଏ । କାହାରିକୁ ହେୟ ଜ୍ଞାନ କରିବା କଥା ନୁହେଁ । ସବୁ ଅଙ୍ଗପ୍ରତ୍ୟଙ୍ଗ କାମ କରୁଥିଲେ ସୁଦ୍ଧା କିଛି ଲୋକ କାମ କରିବା ପାଇଁ ଆଦୌ ପସନ୍ଦ କରନ୍ତି ନାହିଁ । ଆଉ ଶରୀରରେ ଦୁର୍ବଳତା ଥିବା ସତ୍ତେ୍ୱ କିଛି ଲୋକ କର୍ମକୁ ଭଗବାନ ଭାବି ଆଗକୁ ବଢିଥାନ୍ତି । ଏଭଳି ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ହେଉଛନ୍ତି ମାଲବିକା ଅୟର୍ । ୧୩ ବର୍ଷ ବୟସରେ ଏକ ଗ୍ରେନେଡ ବିସ୍ଫୋରଣରେ ସେ ତାଙ୍କର ଦୁଇ ହାତ ହରାଇ ବସିଥିଲେ ।

ଆଜି ତାଙ୍କୁ ୩୦ ବର୍ଷ ବୟସ। ସାହସ ଓ ଧୈର୍ଯ୍ୟ ବଳରେ ନିଜ ଭାଗ୍ୟକୁ ନିଜ ହାତରେ ଲେଖି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ମାଲବିକା । ନିକଟରେ ତାଙ୍କର ଏକ ଟ୍ୱିଟ୍ ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରେ ମାଲବିକା ନିଜ ଜନ୍ମଦିନର ପୋଷ୍ଟ କରିଥିଲେ । ଏହା ପରେ ଲୋକେ ତାଙ୍କ ଜୀବନି ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବାକୁ ଲାଗିଲେ । ମାଲବିକା ଏହି ପୋଷ୍ଟରେ ଲେଖିଥିଲେ, “ହାପିବାର୍ଥଡେ ଟୁ ମି” … । ଯେତେବେଳେ ବୋମା ବିସ୍ଫୋରଣରେ ମୁଁ ମୋ ହାତକୁ ହରାଇଥିଲି , ସେତେବେଳେ ଡାକ୍ତର ମୋ ଜୀବନ ବଞ୍ଚାଇବା ପାଇଁ ଖୁବ୍ ଚେଷ୍ଟା କରିଥିଲେ । ଅପରେସନ ସମୟରେ ଡାକ୍ତରଙ୍କ ଏକ ଭୁଲ ଆଜି ମୋ ପାଇଁ ଆଶୀର୍ବାଦ ସଦୃଶ । ମୁଁ ଏବେ ସେହି ହାତରେ ଟାଇପ କରିପାରୁଛି ।

 ସୂଚନାନୁସାରେ, ମାଲବିକା ୧୩ ବର୍ଷର ହୋଇଥିବା ବେଳେ , ଏକ ବୋମା ବିସ୍ଫୋରଣରେ ଦୁଇ ହାତ ହରାଇ ବସିଥିଲେ । ଏହି ଘଟଣାରେ ତାଙ୍କ ଜୀବନ ମଧ୍ୟ ଚାଲିଯିବାର ସମ୍ଭାବନା ଥିଲା । ସ୍ଥିତି ବହୁତ ଗମ୍ଭୀର ହୋଇପଡିଥିଲା । ନୂତନ ଜୀବନ ପାଇବା ପରେ ମାଲବିକା ଜୀବନକୁ ନୂଆ କରି ବଞ୍ଚିବା ଶିଖିଲେ । ଏହି ଦୁର୍ଘଟଣା ପରେ ମାଲବିକା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ । ନିଜ ଇଚ୍ଛାଶକ୍ତି ବଳରେ ମାଲବିକା ଅସହାୟ ଓ ଦିବ୍ୟାଙ୍ଗଙ୍କୁ ସହାୟତାର ହାତ ବଢାଇଛନ୍ତି । ଏପରିକି ସେ ଅନ୍ତରାଷ୍ଟ୍ରିୟ ମୋଟିଭେଶନଲ ସ୍ପିକର ଓ ଡିସଆବିଲିଟି ଆକ୍ଟିବିସ୍ଟ ମଧ୍ୟ ଅଟନ୍ତି । ମାଲବିକା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ନାରୀ ଶକ୍ତି ପୁରସ୍କାର-୨୦୧୭ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ସେ ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସଲ କରିଛନ୍ତି । ଦିଲ୍ଲୀରେ ସାମାଜିକ କାର୍ୟ୍ୟରେ ମାଷ୍ଟର ମଧ୍ୟ କରିଛନ୍ତି । ମାଲବିକାଙ୍କୁ ଶହେ ସଲାମ, ଯିଏ କେବେ ତାଙ୍କ ହାତକୁ ନେଇ ଭାଙ୍ଗି ପଡିନାହାନ୍ତି, ବରଂ ସମାଜକୁ ଅସମ୍ପୁର୍ଣ୍ଣ ହାତରେ ସାହାଯ୍ୟ , ସହାନୁଭୂତି, ପ୍ରେରଣା ଯୋଗାଇଛନ୍ତି ।