ଓଡ଼ିଶାରେ କୁପୋଷଣର ଶିକାର ହୋଇଥିବା ଶିଶୁଙ୍କ ସଂପର୍କରେ ବିଧାନସଭାରେ ତଥ୍ୟ ରଖିଲେ ବିଭାଗୀୟ ମନ୍ତ୍ରୀ: ରାଜ୍ୟରେ ଅଛନ୍ତି ୩ ଲକ୍ଷ ୭୫ ହଜାର କମ ଓଜନର ଶିଶୁ; ସବୁଠୁ ଆଗରେ କେନ୍ଦୁଝର

୪୧ ପ୍ରତିଶତ ମାଆ ମାନେ କୁପୋଷଣର ଶିକାର

217

କନକ ବ୍ୟୁରୋ: ଓଡ଼ିଶାରେ କୁପୋଷଣର ଶିକାର ହୋଇଥିବା ଶିଶୁଙ୍କ ସଂପର୍କରେ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି- ୨୦୧୯ ଅକ୍ଟୋବର ସୁଦ୍ଧା ରାଜ୍ୟରେ ଅତିଶୟ କମ୍ ଓଜନର ଶିଶୁଙ୍କ ସଂଖ୍ୟା ୨୧ ହଜାର ୯୦୧ । କମ୍ ଓଜରର ଶିଶୁଙ୍କ ସଂଖ୍ୟା ୩ ଲକ୍ଷ ୭୫ ହଜାର ୧୯୬ ।

ଓଡ଼ିଶାର ସବୁଠୁ ବେଶି, ଅତିଶୟ କମ୍ ଓଜର ଶିଶୁ କେନ୍ଦୁଝର ଜିଳ୍ଲାରେ ଅଛନ୍ତି । ଏମାନଙ୍କ ସଂଖ୍ୟା ହେଉଛି- ୧ ହଜାର ୭୩୨ । ସେହି କେନ୍ଦୁଝର ଜିଳ୍ଲାରେ ୩୭ ହଜାର ୨୬୯ ଜଣ ଶିଶୁ କମ୍ ଓଜନର ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି । ଏହା ପଛକୁ ରହିଛି କଳାହାଣ୍ଡି ଜିଳ୍ଲା । କଳାହାଣ୍ଡିରେ ୨ ହଜାର ୬୬ ଶିଶୁଙ୍କ ଓକ୍ସର ଅତିଶୟ କମ୍ ଏବଂ ୨୧ ହଜାର ୩୨୪ ଜଣ ଶିଶୁଙ୍କ ଓଜନ କମ୍ ରହିଛି । ମା’ ମାନଙ୍କ କ୍ଷେତ୍ରରେ କୁପୋଷଣର ଶିକାର ହୋଇଥିବା ହାର ରହିଛି ୪୧ ପ୍ରତିଶତ । ଏଥିରେ ମାଲକାନଗିରିରେ ଜିଲ୍ଲାରେ ସର୍ବାଧିକ ୪୫ ଦଶମିକ ୯ ପ୍ରତିଶତ ରହିଛି ।

ସେହିଭଳି ରାଜ୍ୟରେ ରହିଛି ମୋଟ୍ ୭୨ ହଜାର ୫୮୭ଟି ଅଙ୍ଗନୱାଡି କେନ୍ଦ୍ର । ଯେଉଁଥିରେ ୨୭ ହଜାର ୯୧୬ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ବେଳେ ୧୦ ହଜାର ୪୪୫ଟି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣଧିନ ଅବସ୍ଥାରେ ରହିଛି । ସେହିଭଳି ୪୪ ହଜାର ୬୭୧ ଅଙ୍ଗନୱାଡିର ନିଜସ୍ୱ ଘର ରହିଛି । ତେବେ ରାଜ୍ୟର କୌଣସି ବି ଅଙ୍ଗନୱାଡି କେନ୍ଦ୍ର ଭଙ୍ଗାଘରେ ଚାଲୁନାହିଁ ବୋଲି ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ।